ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦ୍ୟୁତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବାନାଞ୍ଚଳ ଅନ୍ତର୍ଗତ କସିଡିହ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବା ବାର୍ହା ଶିକାର କରିବା ପାଇଁ ଶିକାରୀ ମାନେ ଖୋଲା ତାର ବିଛାଇ ୧୧କେଭି ବିଦ୍ୟୁତ୍ ସଂଯୋଗ କରି ଶିକାର କରୁଥିବା ବନବିଭାଗ ପାଖରେ ଖବର ରହିଥିଲା । ଗତ ଶନିବାର ଶିକାରୀ ମାନେ ତାର ବିଛାଇ ଶିକାର କରୁଥିବା ଖବର ପାଇ ବନବିଭାଗ ଚଢ଼ାଉ କରିଥଲେ । ବନ କର୍ମଚାରୀ ମାନଙ୍କୁ ଦେଖି ଶିକାରୀ ମାନେ ଫେରାର ହୋଇଯାଇଥିଲେ । ରବିବାର ଛେଣ୍ଡିପଦା ସେକ୍ସନ ଫରେଷ୍ଟର ପଦ୍ମଚରଣ ସାହୁ, ଗାର୍ଡ କବିତା ପ୍ରଧାନ, ଆଦିକନ୍ଦ ପ୍ରଧାନ ଏବଂ ସ୍କ୍ୱାର୍ଡ୍ କର୍ମଚାରୀ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ କସିଡିହ ସଂରକ୍ଷିତ ଜଙ୍ଗଲ ଭିତରେ ଜଗି ରହିଥିଲେ ।
କସିଡିହ ଗ୍ରାମର ରବି ସାହୁ (୪୪) ଏବଂ ବିଶ୍ଵଧର ସାହୁ (୫୦) ନାମକ ୨ଜଣ ବ୍ୟକ୍ତି ବାର୍ହା ଶିକାର କରିବା ଉଦ୍ୟେଶରେ ଜଙ୍ଗଲ ନିକଟରେ ଥିବା ଏକ ବାଦାମ ବଗିଚା ବିଦ୍ୟୁତ୍ ତାର ବିଛାଇ ନିକଟରେ ଯାଇଥିବା ୧୧କେଭି ତାରରେ ହୂକ ପକାଇବା ସମୟରେ ବନବିଭାଗ କର୍ମଚାରୀ ମାନେ ୨ଶିକାରୀଙ୍କୁ ମାଡି ବସିଥିଲେ । ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଲାଇନ କାଟି ତାର ଖୋଲି ଥିଲେ। ବନବିଭାଗ ରବି ଏବଂ ବିଶ୍ଵଧରଙ୍କୁ ଗିରଫ କରି ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଫରେଷ୍ଟର ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି ।