ଅନୁଗୁଳ: ଛାତ୍ରୀଙ୍କୁ କମେଣ୍ଟ ମାରି ବନ୍ଧା ହେଲେ ରୋଡ୍ ରୋମିଓ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ କମେଣ୍ଟ କରି ଦୁଇ ରୋଡ୍ ରୋମିଓ ବନ୍ଧା ହୋଇଛନ୍ତି। ଗିରଫ ଯୁବକ ହେଲେ ଅନ୍ଧାରୀକଟା ଗାଁର ମନୋଜ ବାରିକ ଓ କଣିହାଁ ଥାନା କାକୁଡ଼ିଆ ଗାଁର ନିର୍ମଳ ବାରିକ।
ଅଭିଯୋଗ ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ମେଡିକାଲ ପଛପାଖ ଦେଇ ଘରକୁ ଫେରୁଥିବା ବେଳେ ରୋଡ଼ ରୋମିଓ ମାନେ ଏକ ମୋଟରସାଇକେଲରେ ତାଙ୍କ ପିଛା କରିଥିଲେ। ସେମାନେ ଛାତ୍ରୀଙ୍କ ମୁହଁକୁ ସିଗାରେଟ ଧୂଆଁ ଛାଡ଼ିବା ସହ ଅଶାଳୀନ କମେଣ୍ଟ କରୁଥିଲେ। ଛାତ୍ରୀ ଜଣଙ୍କ ଘରେ ଘଟଣା ସମ୍ପର୍କରେ କହିଥିଲେ। ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଛେଣ୍ଡିପଦା ପୋଲିସ ରୋଡ଼ ରୋମିଓ ଦ୍ୱୟଙ୍କୁ ଗିରଫ କରିଛି। ସେମାନଙ୍କର ମୋଟରସାଇକେଲକୁ ଜବତ କରିଛି। ପୋଲିସ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।


