ଛାତିଥରା ସଡ଼କ ଦୁର୍ଘଟଣା: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସମେତ ୨ ମୃତ

You are currently viewing ଛାତିଥରା ସଡ଼କ ଦୁର୍ଘଟଣା: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସମେତ ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ତାଳଚେର ଅଞ୍ଚଳର ଅମିତ ସାହୁ, ବିସ୍ମୟ ଦାସ ଏବଂ ଅନୁଗୁଳ ଅଞ୍ଚଳର ଗୋପାଳ ସାହୁ ଏକ ବିବାହ ଭୋଜି କାର୍ଯ୍ୟକ୍ରମ ସାରି କାର୍ ଯୋଗେ ଫେରୁଥିଲେ। ଫେରିବା ସମୟରେ ଜରପଡ଼ା ଥାନା ମରାତିରା ନିକଟରେ ସେମାନଙ୍କ କାର୍‌ଟି ସମ୍ମୁଖରେ ଯାଉଥିବା ଏକ ଟ୍ରକ ପଛରେ ସଜୋରେ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍‌ଟି ଟ୍ରକ ପଛରେ ଫସିଯାଇଥିଲା ଏବଂ କିଛି ବାଟ ପର୍ଯ୍ୟନ୍ତ ଟ୍ରକ ସହ ଘୋଷାଡ଼ି ହୋଇ ଯାଇଥିଲା, ଯାହା ସ୍ଥାନୀୟ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି।
​ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜରପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଅମିତ ସାହୁ ଏବଂ ବିସ୍ମୟ ଦାସଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୋପାଳ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ମୃତ ଅମିତ ସାହୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଜଣେ ଯୁବ ନେତାଙ୍କ ଏହି ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅନୁଗୋଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply