ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ବିଜିଗୋଳ ପଞ୍ଚାୟତ ଆମ୍ବପାଳ ଛକରେ ଅଂଶୁଘାତରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତ ଗାଡ଼ି ଚାଳକ ହେଲେ ଝାଡ଼ଖଣ୍ଡ ଆଗଲିଓ ସାହେବଗଞ୍ଜ ଅଞ୍ଚଳର ଆକବର ହୁସେନ(୪୬)। ଖବର ପାଇ ଏନଟିପିସି ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଆକବରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
ସୂଚନା ମୁତାବକ, ଆକବର ଏନଟିପିସି ଡେରେଙ୍ଗ ପାଉଁଶ ପୋଖରୀରୁ ଟ୍ରକ ଯୋଗେ ଠିକା ସଂସ୍ଥା ଜରିଆରେ ଟ୍ରକରେ ପାଉଁଶ ପରିବହନ କରି ଆସୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ସେ ଆମ୍ବପାଳ ଛକରେ ଟ୍ରକକୁ ଛିଡ଼ା କରି ବିଶ୍ରାମ ନେଉଥିବା ବେଳେ ଟଳି ପଡ଼ିଥିଲେ। ପୁଲିସ ମୃତ ଦେହକୁ ଜବତ କରିଛି। ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ ହେବ। ତେବେ ଅଂଶୁଘାତ ଯୋଗୁ ଆକବରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।