ନାଲକୋ ନଗର/ଅନୁଗୁଳ: ଜନଜାତି ସମାଜ ଆମ ସଭ୍ୟତାର ମୂଳ ସମାଜ। ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣୀ, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ବୋଲି ଶୁକ୍ରବାର ଅନୁଗୁଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ : ଜାତୀୟ ଜନଜାତି ମହୋତ୍ସବ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସ-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୬୨ଟି ଜନଜାତି ସମୁଦାୟ, ୨୧ ଟି ଜନଜାତି ଭାଷା, ୭୪ ଟି ଉପଭାଷା ଓ ୭ ଟି ଜନଜାତୀୟ ଲିପିର ଗୌରବ ହାସଲ କରିବାରେ ଓଡ଼ିଶା ହେଉଛି ସାରା ବିଶ୍ୱରେ ଏକ ଅନ୍ୟତମ ରାଜ୍ୟ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାର ଜନଜାତି ସମାଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ ହୋଇ ବିଶ୍ୱର ଗୌରବ ବଢାଉଛନ୍ତି । ଦେଶରେ ଜନଜାତି ନେତୃତ୍ୱକୁ ପ୍ରତିନିଧିତ୍ୱ କରାଇବାରେ ମୋଦି ସରକାର ଅଗ୍ରଣୀ। ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ନୂଆ ସଂସଦ ଭବନରେ ଜନଜାତି ସଂସ୍କୃତିର ପ୍ରତିଫଳନ ହୋଇଛି। ଏବେ ସ୍ୱାଧୀନତା ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ଜନଜାତି ସମାଜ ଉପରେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଭାରତର ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତ୍ତିଧାରୀଙ୍କ ନିମନ୍ତେ ପି.ଏମ୍ – ବିଶ୍ୱକର୍ମା ଯୋଜନାକୁ ମଞ୍ଜୁର କରିଛନ୍ତି। ଏ ଦିଗରେ ଜନଜାତି ସମାଜ ମଧ୍ୟ ମୋଦି ସରକାରରେ ଅଗ୍ରାଧିକାରରେ ଅଛି। ସେହିପରି ଗତକାଲି ଜନଜାତି ସମାଜର ବହୁ ପରାତନ ଭାଷା ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ପିଲାମାନଙ୍କ ପାଇଁ ବର୍ଣ୍ଣମାଳା ଆଧାରିତ ଭାଷା ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହା ଦ୍ୱାରା ଜନଜାତି ଭାଷା ସହ ଓଡ଼ିଆ ଭାଷା ସାଙ୍ଗରେ ସେତୁ ତିଆରି କରିବାର ନୂଆ ଅଧ୍ୟାୟ ଆରମ୍ଭ ହେଲା।
ଜନଜାତି ସମାଜର ପରିଶ୍ରମରେ ନାଲକୋର ଅର୍ଥନୀତି ଚାଲେ। ନାଲକୋକୁ ସେମାନଙ୍କ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ଜାତୀୟ ଜନଜାତି ମହୋତ୍ସବର ସଫଳତା କାମନା କରିଛନ୍ତି।