ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା। ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ପ୍ରାୟ ଚାରି ଦଶନ୍ଧିର ଏ ଦୁର୍ଦ୍ଦଶା ଆଜି ବି ଆମକୁ ମର୍ମାହତ କରୁଛି।

ରେଙ୍ଗାଳି ଯୋଜନାରେ ୧୯୭୩ ମସିହାରେ ଅନୁଗୁଳ ଜିଲ୍ଲାର ପାଳଲହଡ଼ା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ। ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।

ସଂଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଳି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ।

Leave A Reply

Your email address will not be published.

error: Content is protected !!