ପ୍ରେମ । ପ୍ରେମ ସାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମର ପରିଭାଷା ଯେତିକି ଜଟିଳ ସେତିକି ସୁମଧୁର ମଧ୍ୟ । ପ୍ରେମ ବସନ୍ତର ସବୁଜିମା ପରି ମନୋହର । ପ୍ରେମ ପୂର୍ଣ୍ଣିମାର ଚାନ୍ଦିନୀ ରାତି ପରି ଚମତ୍କାର । ପୁଣି ଏଇ ପ୍ରେମ ଶୀତୁଆ ସକାଳର କାକର ବିନ୍ଦୁ ପରି କୋମଳ ।
ଆଜି ପ୍ରେମ ପାଇଁ ଦିନଟିଏ । ଯାହାକୁ ଆଜିର ଯୁବପିଢୀ “ଭାଲେଣ୍ଟାଇନ୍ ଡେ” ଭାବେ ପାଳନ କରନ୍ତି । ପ୍ରଥମେ ରୋଜ୍(ଗୋଲାପ ଫୁଲ) ଦେଇ ପ୍ରପୋଜ, ତାପରେ ଚକୋଲେଟର ମିଠାଭରା ସମ୍ପର୍କ ମଜବୁତ କରିବା ପାଇଁ ଟେଡୀ ଉପହାର ଦେଇ ପ୍ରମିଜ୍ ମଧ୍ୟ କରନ୍ତି । ପୁଣି ଆଲିଙ୍ଗନ ଆଉ ଚୁମ୍ବନ ପରେ ପ୍ରେମର ଗାଡି ଗଡି ଚାଲେ ଆଗକୁ । ଭାଲେଣ୍ଟାଇନ୍ ଉଇକ୍ ନୁହେଁ ତ ସତେ ଯେମିତି ପ୍ରେମର ପାର୍ବଣ ପାଇଁ ମେଳା ଲାଗିଛି ବଜାରରେ । ତାହା ପୁଣି ବେଷ୍ଟ୍ ଅଫର ସହ । କିଏ କେତେ ବଡ ଚକୋଲେଟ୍ ଦେଇପାରିଲା ଆଉ କିଏ କେତେ ଦାମୀ ଗିଫ୍ଟ୍ ଦେଲା; ଏସବୁ ଭିତରେ ଏକ ପ୍ରତିଯୋଗିତା ଚାଲିଛି । ଉପହାର ଯେତେ ଦାମୀ ପ୍ରେମ ସେତେ ନିବିଡ । ନିବିଡତା ପୁଣି କେବଳ ମନର ନୁହେଁ, ସିଧା ଶରୀରର । ଆଜିକାଲିର ପ୍ରେମୀଯୁଗଳଙ୍କ ପାଖରେ ପ୍ରେମର ମାନେ ହିଁ ଏଇଆ । ଏହି ଅଲଟ୍ରା ମଡର୍ଣ୍ଣ ଯୁଗରେ ଶିକ୍ଷିତ ଯୁବପିଢୀ ପ୍ରେମକୁ ଏମିତି ଡିଜିଟାଲାଇଜ୍ କରିଛନ୍ତି ଯେ ଲାଗୁଛି ପ୍ରେମମାନେ କେବଳ କୋର୍ଟ କଚେରୀ , ମହିଳା ଥାନା ,ଏମ୍ଏମ୍ଏସ୍ , ଡିଭୋର୍ସ , ମର୍ଡର ଆଉ ସୁଇସାଇଡ୍ ।
କିଏ କୁହେ ପ୍ରେମ ହରାଇବାରେ ଥାଏ ପୁଣି କିଏ କୁହେ ପାଇବାରେ । କିନ୍ତୁ ଆଜିର ପ୍ରେମ ପଥଭ୍ରଷ୍ଟ । ପରିବର୍ତ୍ତିତ ଜୀବନ ଶୈଳୀରେ ପ୍ରେମର ପରିଭାଷା ବଦଳି ଯାଇଛି । ସ୍ବାଧୀନତା ମାନେ ସ୍ବେଛାଚାରିତା ନୁହେଁ କି ସୁଇସାଇଡ୍ ମାନେ ଅମର ପ୍ରେମ ନୁହେଁ । ପ୍ରେମକୁ ଏଭଳି କଳଙ୍କିତ ନକରି ମୁକ୍ତ ଆକାଶ ପରି ସୁନ୍ଦର, ସରସ ଓ ସଂସ୍କାରର ପରିଧି ଭିତରେ ଅମର କରିଦିଅନ୍ତୁ ।
Happy Valentines Day
( ପ୍ରିୟଦର୍ଶିନୀ ଦଳାଇ, ଅନୁଗୁଳ)