ଅନୁଗୁଳ: ସୋମବାର ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର “ମାଇଁ ଭାରତ ଓ ଜାତୀୟ ସେବା ଯୋଜନା” ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ସଭାପତିତ୍ଵ କରିଥିବା ବେଳେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୋମେଶ ଦତ୍ତ ଦାସ ମୁଖ୍ୟ ଅତିଥି ଏବଂ ପ୍ରଫେସର ଡ. ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଭୁପେଶ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦେଶର ବିକାଶ ଓ ଯୁବଶକ୍ତିର ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଜାତୀୟ ସେବା ଯୋଜନା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ସୀତିକଣ୍ଠ ରଥ, ଡକ୍ଟର ଗୌରୀ ଶଙ୍କର, ଯୁଗ ପ୍ରକାଶ ଜେନା ଓ ତପନ କୁମାର ସାମଲଙ୍କ ସମେତ ବହୁ ଅଧ୍ୟାପକ ଉପସ୍ଥିତ ଥିଲେ।


