ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ହୋଇଛି। ମୃତକ ହେଲେ ବଳରାମପ୍ରସାଦ ଗ୍ରାମର ମଙ୍ଗୁଳୁ ଦଳେଇଙ୍କ ପୁଅ ବାବୁଲା ଦଳେଇ। ସେ ନାଲକୋରେ କାମ କରନ୍ତି।
ପୋଲିସ ସୂଚନା ମୁତାବକ, ବାବୁଲା ସବୁଦିନ ପରି କାଲି ମଧ୍ୟ ଡ୍ୟୁଟି କରିବାକୁ ପ୍ଲାଣ୍ଟକୁ ଯାଇଥିଲେ କିନ୍ତୁ ରାତିରେ ଘରକୁ ଫେରି ନଥିଲେ। ଏନେଇ ତାଙ୍କ ସ୍ତ୍ରୀଙ୍କ ଠାରୁ ଖବର ପାଇ ବାପା ମଙ୍ଗୁଳୁ ଦଳେଇ ଘରକୁ ଆସିଥିଲେ। ଆଜି ସକାଳ ପ୍ରାୟ ୫.୩୦ରେ କଇଁଫୁଲିଆ ସାହି ସ୍ଥିତ କୁରୁମୁ ଗାଡ଼ିଆ ପୋଖରୀ ଯାଇ ହୁଡ଼ାରେ ଥିବା ଏକ ଅଶ୍ଵତ୍ଥ ଗଛରେ ବେକରେ ଗାମୁଛା ଗୁଡେ଼ଇ ବାବୁଲା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବାବୁଲା ଡ୍ୟୁଟି ପୋଷାକ ପିନ୍ଧିଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ମୋଟରସାଇକେଲ ଓ ମୋବାଇଲକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ତେବେ ବାବୁଲା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲା, ତାର ଉପଯୁକ୍ତ ତଦନ୍ତ କରିବାକୁ ମଙ୍ଗୁଳୁ ଦଳେଇ ପୋଲିସକୁ ଅନୁରୋଧ କରିଛନ୍ତି। ମଙ୍ଗୁଳୁ ଦଳେଇଙ୍କ ଲିଖିତ ଏତଲାକୁ ଭିତ୍ତି କରି ନାଲକୋ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।











