ଅନୁଗୋଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ସହ ନିଜକୁ ଦେଶ ପ୍ରତି ସମର୍ପିତ କରିବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
ସେହିପରି ସକାଳ ୮ଟା ସମୟରେ ସ୍ଥାନୀୟ ଅନୁଗୋଳ ଷ୍ଟାଡିୟମଠାରୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ଓ ଅନ୍ୟାନ୍ୟ ଅତିଥି ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ ଯୋଗ ଦେଇ ଅଖଣ୍ଡ ଭାରତର ଭାବନାକୁ ଉତ୍ସାହର ସହ ପାଳନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ପରିଚାଳନା କରିଥିଲେ।


















