ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ୧୧ଟି ବୁଥ୍ ପରିଦର୍ଶନ କଲେ ଉପଜିଲ୍ଲାପାଳ

You are currently viewing ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ୧୧ଟି ବୁଥ୍ ପରିଦର୍ଶନ କଲେ ଉପଜିଲ୍ଲାପାଳ

ଅନୁଗୋଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଗୁରୁବାର ବିଭିନ୍ନ ଅଞ୍ଚଳର ୧୧ଟି ମତଦାନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଓ ଆବଶ୍ୟକ ସୁବିଧାର ସମୀକ୍ଷା କରିଛନ୍ତି।

ପରିଦର୍ଶନ ସମୟରେ ସେ କମ୍ପରକେଲା, କୋଳିପାଳ, ସିଗଡ଼, ନନ୍ଦିନୀପାଳି, ନାଏକାଣିପାଳି ଓ ମହତାବ ହାଇସ୍କୁଲ ସମେତ ବିଭିନ୍ନ ସ୍ଥାନରେ ଥିବା ବୁଥ୍‌ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ମତଦାନ କେନ୍ଦ୍ରଗୁଡ଼ିକରେ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ରାମ୍ପ ନିର୍ମାଣ, ଉପଯୁକ୍ତ ବାୟୁ ଚଳାଚଳ ଏବଂ କବାଟ ଓ ଝରକାର ମରାମତି ଭଳି ମୌଳିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ଏଥିସହ ବିଦ୍ୟାଳୟ ପରିଦର୍ଶନ ବେଳେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ସ୍ମାର୍ଟ କ୍ଲାସର ସଠିକ୍ ପରିଚାଳନା, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ। ନାଏକାଣିପାଳିରେ ଥିବା ଏକ ପୁରୁଣା କୋଠା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାହାକୁ ଭାଙ୍ଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ସହକାରୀ ଜିଲ୍ଲାପାଳ ଗିରୀଶ ଚନ୍ଦ୍ର ସିଂହ, ବରିଷ୍ଠ ରାଜସ୍ୱ ସହାୟକ ଗୁଲସନ ପ୍ରଧାନ, ନିର୍ବାଚନ ସହାୟକ ପତିତପାବନ ପ୍ରଧାନ ଓ ବିଏଲ୍‌ଓ ସୁପରଭାଇଜର କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Share

Leave a Reply