ଅନୁଗୋଳ: ସମାଜର ବିଭିନ୍ନ କ୍ଷେତ୍ରରୁ ଦୁର୍ନୀତି ହଟାଇ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ ବାତାବରଣ ସୃଷ୍ଟି ତଥା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ହେଉଛି “ସାଧୁତାରୁ ସମୃଦ୍ଧି”।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ପୂର୍ବାହ୍ନରେ ସାଧୁତା ଶପଥ ପାଠ କରାଇଥିଲେ। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ ଏବଂ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଯୋଗଦେଇ ଶପଥ ପାଠ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହାନ୍ତ, ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ଡେପୁଟି କଲେକ୍ଟର ଜୟଜିତ ଧଳଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାର ସମସ୍ତ ଉପଖଣ୍ଡ, ପଞ୍ଚାୟତ ସମିତି, ତହସିଲ, ଗ୍ରାମ ପଞ୍ଚାୟତ, ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।















