ଟୋଲକବେଡ଼ା ପାଉଁଶ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ, ଏନଟିପିସି ସହ ଆଲୋଚନା ପରେ ନିଷ୍ପତ୍ତି

You are currently viewing ଟୋଲକବେଡ଼ା ପାଉଁଶ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ, ଏନଟିପିସି ସହ ଆଲୋଚନା ପରେ ନିଷ୍ପତ୍ତି

ଅନୁଗୋଳ: କଣିହାଁ ବ୍ଲକ୍  ଟୋଲକବେଡ଼ା ମୌଜାର ପାଉଁଶ କ୍ଷତିଗ୍ରସ୍ତ ଚାଷୀମାନେ ଆସନ୍ତା ୨୭ ତାରିଖରୁ ଏନଟିପିସିର ଶକ୍ତି ଦ୍ୱାର ନିକଟରେ ପାଉଁଶ ପରିବହନ ବନ୍ଦ କରିବାକୁ ନେଇଥିବା ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏନଟିପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଏବଂ କ୍ଷତିପୂରଣ ନିର୍ଦ୍ଧାରଣ ପାଇଁ କଣିହାଁ ତହସିଲଦାରଙ୍କୁ ଅନୁରୋଧ କରାଯିବା ପରେ ଚାଷୀମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ଗତବର୍ଷ ଜୁଲାଇରେ ଏନଟିପିସିର ପାଉଁଶ ପାଇପ୍‌ଲାଇନ୍‌ ଫାଟି ସ୍ଲରି ନିର୍ଗତ ହେବାରୁ ଟୋଲକବେଡ଼ା ମୌଜାର ୩୫ ଜଣ ପଟ୍ଟାଧାରୀଙ୍କ ପ୍ରାୟ ୧୩ ଏକର ଚାଷଜମିରେ ଧାନ ଫସଲ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କ ଦାବି ପରେ ଏନଟିପିସି କର୍ତ୍ତୃପକ୍ଷ କ୍ଷତିପୂରଣ ଦେବା ସହ ଜମିରୁ ପାଉଁଶ ଉଠାଇ ଚାଷ ଉପଯୋଗୀ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଚଳିତ ବର୍ଷ ମଧ୍ୟ ଜମିରୁ ପାଉଁଶ ଉଠାଯାଇନଥିବାରୁ ଚାଷୀମାନେ ଚିନ୍ତା ପ୍ରକାଶ କରିଥିଲେ। ଏହାସହ ଚଳିତ ବର୍ଷର ଫସଲ କ୍ଷତିପୂରଣ ପ୍ରଦାନ ଓ ଜମିରୁ ତୁରନ୍ତ ପାଉଁଶ ହଟାଇବା ପାଇଁ ସେମାନେ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ। ଦାବିପତ୍ରର ନକଲ ଜିଲ୍ଲାପାଳ, ଅନୁଗୋଳ ଏସ୍‌ପି, ତାଳଚେର ଉପଜିଲ୍ଲାପାଳ, କଣିହାଁ ତହସିଲଦାର, ବ୍ଲକ କୃଷି ଅଧିକାରୀ ଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା।

ଅକ୍ଟୋବର ୧୨ରେ ଚାଷୀମାନେ ଦାବି ପୂରଣ ନହେଲେ ୨୭ ତାରିଖ ସକାଳ ୬ଟାରୁ ଶକ୍ତି ଦ୍ୱାର ନିକଟରେ ପାଉଁଶ ବୋଝେଇ ଟ୍ରକ୍‌ ଚଳାଚଳ ବନ୍ଦ କରିବାକୁ ଷ୍ଟ୍ରାଇକ୍‌ ନୋଟିସ୍‌ ଦେଇଥିଲେ। ଅକ୍ଟୋବର ୨୧ରେ ଏନଟିପିସି କର୍ତ୍ତୃପକ୍ଷ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷର କ୍ଷତିପୂରଣ ନିର୍ଦ୍ଧାରଣ ପାଇଁ କଣିହାଁ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିବା ନେଇ ଚାଷୀମାନଙ୍କୁ ଅବଗତ କରାଯାଇଥିଲା।

ଏହାପରେ ଚାଷୀମାନେ ୨୭ ତାରିଖର ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଦାବି ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆନଗଲେ ନଭେମ୍ବର ୨୭ରେ ପୁନର୍ବାର ପାଉଁଶ ପରିବହନ ବନ୍ଦ କରାଯିବ ବୋଲି ପ୍ରହ୍ଲାଦ ଚନ୍ଦ୍ର ସାହୁ, ଦେବରାଜ ନାଏକ, ଲୋଚନ ସାହୁ, ଶ୍ରୀଧର ବେହେରା, ହର୍ଷ ପ୍ରଧାନ, ରସାନନ୍ଦ ସାହୁ ଓ ପରମା ପ୍ରଧାନ ପ୍ରମୁଖ ଜଣାଇଛନ୍ତି।

Share

Leave a Reply