ଅନୁଗୋଳ: ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ପାଟଣାସାହିରେ ଜଣେ ନବବିବାହିତାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ରାଜେଶ ଦାସ (୨୩)ଙ୍କ ପତ୍ନୀ ବିଶ୍ୱରୂପା ପୃଷ୍ଟି। ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିବା ମୃତକଙ୍କ ବାପଘର ପକ୍ଷରୁ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଗ୍ରାମର ସତ୍ୟବାନ ପୃଷ୍ଟିଙ୍କ ଝିଅ ବିଶ୍ୱରୂପା ପ୍ରାୟ ଦୁଇ ବର୍ଷ ତଳେ ରାଜେଶଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ପ୍ରାରମ୍ଭିକ ଦିନଗୁଡ଼ିକରେ ସେମାନଙ୍କ ପାରିବାରିକ ଜୀବନ ଠିକ୍ଠାକ୍ ଚାଲିଥିଲା। ତେବେ ପରବର୍ତ୍ତୀ ସମୟରେ ଯୌତୁକକୁ ନେଇ ଶାଶୂଘରେ ବିଶ୍ୱରୂପାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଏକାଧିକ ଥର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା।
ରବିବାର ସକାଳେ ବିଶ୍ୱରୂପାଙ୍କ ମୃତ୍ୟୁ ସମ୍ପର୍କରେ ଶାଶୂଘର ଲୋକଙ୍କଠାରୁ ଜଣାପଡ଼ିଥିଲା। ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ, ଏହାକୁ ତାଙ୍କ ବାପଘର ପକ୍ଷ ସନ୍ଦେହ କରିଛନ୍ତି। ଗତ ରାତିରେ ତାଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ବାପା ସତ୍ୟବାନ ପୃଷ୍ଟି ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସ୍ଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଅୟସକାନ୍ତ ଜେନା ଏବଂ ସବ୍ଇନ୍ସପେକ୍ଟର ଅମିତ ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ବଅଁରପାଳର ଅତିରିକ୍ତ ତହସିଲଦାର ସୁଶାନ୍ତ ନାୟକ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ରହିଥିଲେ।
ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ଶବ ପଞ୍ଚନାମା କରିବା ସହ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ଘଟଣାର ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।















