NEFT ନାଁରେ ଠକେଇ ଅଭିଯୋଗ, ଯୁବକଙ୍କୁ କୋର୍ଟ ଚାଲାଣ

You are currently viewing NEFT ନାଁରେ ଠକେଇ ଅଭିଯୋଗ, ଯୁବକଙ୍କୁ କୋର୍ଟ ଚାଲାଣ

ଅନୁଗୋଳ: ଏନ୍‌ଇଏଫ୍‌ଟି (NEFT) ମାଧ୍ୟମରେ ଟଙ୍କା ପଠାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବଅଁରପାଳ ବଜାରର ବିଭିନ୍ନ ବ୍ୟବସାୟୀଙ୍କଠାରୁ ନଗଦ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗରେ ଜଣେ ୩୩ ବର୍ଷୀୟ ଯୁବକଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲା ଗୋକର୍ଣ୍ଣେଶ୍ୱର ଗ୍ରାମର କନ୍ଦର୍ପ ଦାସଙ୍କ ପୁଅ ବିଶ୍ୱଜିତ୍ ଦାସ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ବଅଁରପାଳ ସନ୍ତ୍ରୀ ଛକସ୍ଥିତ ଆଶା ଟକିଜ୍ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ରାଉଳଙ୍କଠାରୁ ୨,୪୬୦ ଟଙ୍କାର ଡ୍ରେସ୍ କିଣିବା ପରେ ସେ ୫ ହଜାର ଟଙ୍କା ନଗଦ ନେଇଥିଲେ। ଏହା ବଦଳରେ ଅଧିକ ଟଙ୍କା ଏନ୍‌ଇଏଫ୍‌ଟି ମାଧ୍ୟମରେ ପଠାଇଥିବା କହି ନକଲି ମେସେଜ୍ ଦେଖାଇଥିବା ଅଭିଯୋଗ ହୋଇଛି।

ସେହିପରି ପ୍ରକାଶ ଚନ୍ଦ୍ର ମହାନ୍ତି ଓ ବିପିନ ସାହୁଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ, ନବକୁମାର ରାଉତଙ୍କଠାରୁ ୩ ହଜାର ଟଙ୍କା ଏବଂ ମନୋଜ ବେହେରାଙ୍କଠାରୁ ୫୦ ହଜାର ଟଙ୍କା ନଗଦ ନେଇଥିବା ଅଭିଯୋଗ ରହିଛି। ଟଙ୍କା ପଠାଇଥିବା ନେଇ ନକଲି ମେସେଜ୍ ଦେଖାଇ ସେ ବ୍ୟବସାୟୀଙ୍କୁ ଭୁଆଁ ବୁଲାଇଥିବା କୁହାଯାଇଛି।

ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ନ ଆସିବାରୁ ସେମାନେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ। ଗତ ୨୬ ତାରିଖ ସନ୍ଧ୍ୟାରେ ଏକ ଚା’ ଦୋକାନରେ ତାଙ୍କୁ ଦେଖି ବ୍ୟବସାୟୀମାନେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Share

Leave a Reply