ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ

You are currently viewing ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ

ଅନୁଗୋଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେଇ ଦୁର୍ନୀତି ରୋକିବାରେ ସମସ୍ତଙ୍କ ସକ୍ରିୟ ଭୂମିକା ରହିଛି ଏବଂ ପ୍ରତ୍ୟେକ ଅଧିକାରୀ ଆତ୍ମଚିନ୍ତନ କରି ନିଜ କର୍ତ୍ତବ୍ୟ ସତ୍ୟନିଷ୍ଠାର ସହ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଗୌରବମୟ ପ୍ରଧାନ ଯୋଗ ଦେଇ ବ୍ୟାପକ ଜନସଚେତନତା ହିଁ ସମାଜରେ ଦୁର୍ନୀତିର ମୂଳୋତ୍ପାଟନ କରିବାରେ ସହାୟକ ହେବ ବୋଲି କହିଥିଲେ। ଉପ-ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ସାମଲ ଯୋଗ ଦେଇ ଚଳିତ ବର୍ଷର ବାର୍ତ୍ତା “ସାଧୁତାରୁ ସମୃଦ୍ଧି” ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବୈଠକରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ୱଭୂଷଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା, ଡେପୁଟି କଲେକ୍ଟର ଜୟଜିତ ଧଳ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ୱାଇଁ, ଭିଜିଲାନ୍ସ ଇନ୍ସପେକ୍ଟର ଉର୍ମିଳା ଲାକ୍ରା ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ।

Share

Leave a Reply