ଷାଠିଏ ବର୍ଷର ଗୌରବମୟ ପରମ୍ପରା, ଉଦ୍‌ଯାପିତ ହେଲା କିଶୋର କ୍ଲବର ୬୧ତମ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

You are currently viewing ଷାଠିଏ ବର୍ଷର ଗୌରବମୟ ପରମ୍ପରା, ଉଦ୍‌ଯାପିତ ହେଲା କିଶୋର କ୍ଲବର ୬୧ତମ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

ଅନୁଗୋଳ: ଦୀର୍ଘ ୬ ଦିନ ଧରି ଚାଲିଥିବା ତାଳଚେରର ପୁରାତନ କିଶୋର କ୍ଲବର ୬୧ତମ ଶାରଦୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। କ୍ଲବ ପରିସରରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବାବେଳେ ୧୫୦ରୁ ଅଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ କିଶୋର କ୍ଲବର କ୍ରୀଡ଼ା କ୍ଷେତ୍ରକୁ ଅବଦାନର ପ୍ରଶଂସା କରିଥିଲେ। ଏହି କ୍ଲବରୁ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଅନୁଗୋଳ କଲେଜର ଅଧ୍ୟାପକ ତଥା ଚଳଚ୍ଚିତ୍ର ଅଭିନେତା ଡ. ଗୋବିନ୍ଦ ଚନ୍ଦ୍ର ଥମ୍ବ, ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ତାଳଚେର ପଟ୍ଟାୟତ ଶୈଳେନ୍ଦ୍ର ଚନ୍ଦ୍ର ଦେବ ଓ ଚଳଚ୍ଚିତ୍ର ଅଭିନେତ୍ରୀ ରୋଜା ପ୍ରଧାନ ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିମଳ କୃଷ୍ଣ ଥମ୍ବ, ତାଳଚେର ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶୋଭାଗିନୀ ଦେବୀ, ଆୟୁର୍ବେଦ ଓ ଜଡ଼ିବୁଟି କ୍ଷେତ୍ରରେ ଅବଦାନ ପାଇଁ ଗଣେଶ୍ୱର ସ୍ୱାଇଁ ଏବଂ ଜାତୀୟ ସ୍ତରୀୟ ଟେନିସ୍ କ୍ରିକେଟ୍ ଖେଳାଳି ସୂର୍ଯ୍ୟାଂଶୁ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ମହିଳା କବାଡ଼ି ପ୍ରତିଯୋଗିତାର ଚାମ୍ପିୟନ ସମ୍ବଲପୁର ଦଳ ଓ ରନର୍ସଅପ୍ ଆସ୍କା ଦଳକୁ ଅଜୟ ଭୂତିଆଙ୍କ ପକ୍ଷରୁ ସିଲ୍ଡ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

କ୍ଲବର କାର୍ଯ୍ୟକାରୀ ସଭାପତି ପେସ୍କାର ଗଡ଼ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଉପସଭାପତି ଦୟାସାଗର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଦୀପକ ଥମ୍ବ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଧୂରେନ ସତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply