ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଶିଳ୍ପ ଓ ନଗର ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ତାଙ୍କର ଦିନିକିଆ ଅନୁଗୋଳ ଗସ୍ତ ଅବସରରେ ଆଲୁମିନିୟମ ପାର୍କ, ବର୍ଜ୍ୟବସ୍ତୁ ପରିଚାଳନା ଓ ଗୃହ ନିର୍ମାଣ ପ୍ରକଳ୍ପ ସମେତ ଜଳବନ୍ଦୀ ସମସ୍ୟା ଥିବା ଅଞ୍ଚଳ ପରିଦର୍ଶନ କରିଥିଲେ।
ଗସ୍ତ ସମୟରେ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖ୍ତର ଉପସ୍ଥିତ ଥିଲେ। ପ୍ରଥମେ ଶ୍ରୀମତୀ ପାଢ଼ୀ ନାଲ୍କୋ ନିକଟସ୍ଥ ଆଲୁମିନିୟମ ପାର୍କ ପରିଦର୍ଶନ କରି ଶିଳ୍ପାଞ୍ଚଳର ବିକାଶ ଓ ଭିତ୍ତିଭୂମି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷକରି ନିରବଚ୍ଛିନ୍ନ ବିଦ୍ୟୁତ୍, ଜଳ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଆଇଏଏସ୍ ପ୍ରୋବେସନର ଅଭି ଜୈନ୍, ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ଶିବାଶିଷ କାନୁନଗୋ, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସମେତ ଇଡ୍କୋ, ଟିପିସିଓଡିଏଲ୍, ଆରଡବ୍ଲ୍ୟୁଏସ୍ଏସ୍ ଓ ନାଲ୍କୋର ଅଧିକାରୀମାନେ ଉପସ୍ଥିତ ଥିଲେ।

ପରେ ସେ ଅନୁଗୋଳ ପୌରପାଳିକା ଅଧୀନରେ ଥିବା ଏଫ୍ଏସ୍ଟିପି (FSTP) ପରିଦର୍ଶନ କରିଥିଲେ। ଏହାପରେ ପଞ୍ଚମହଲାଠାରେ ଚାଲିଥିବା ପୁରୁଣା ଆବର୍ଜନାର ବାୟୋ-ମାଇନିଂ ପ୍ରକଳ୍ପର କାର୍ଯ୍ୟ ଓ ଅଗ୍ରଗତି ଅନୁଧ୍ୟାନ କରିଥିଲେ।

ସେହିପରି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରି ଡ୍ରେନେଜ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସମୀକ୍ଷା କରିଥିଲେ। ଆବେଦନକାରୀଙ୍କୁ ଯଥାଶୀଘ୍ର ଫ୍ଲାଟ୍ ହସ୍ତାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ବଣିଆବାହାଳ ଓ ଲିଙ୍ଗରାଯୋଡ଼ି ଅଞ୍ଚଳର ଜଳବନ୍ଦୀ ସମସ୍ୟା ପ୍ରଭାବିତ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ। ବର୍ଷା ଋତୁରେ ଏହି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ସହ ଡ୍ରେନେଜ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।















