ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀମଳିହା ଗ୍ରାମରେ ଦୀର୍ଘ ୧୦ ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମବାସୀମାନେ ଶନିବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି।
ବାମୁର ବିଦ୍ୟୁତ୍ ବିଭାଗ ପକ୍ଷରୁ ‘ଜନ୍ତୁ ଶିକାର’ ଅଭିଯୋଗ ଦର୍ଶାଇ ଗ୍ରାମକୁ ୧୦ ଦିନ ହେବ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାଟ୍ କରାଯାଇଛି। ଫଳରେ ଦୀର୍ଘ ଦିନରୁ ବିଦ୍ୟୁତ୍ କାଟ୍ ଯୋଗୁଁ ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାମୁର କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ବାରମ୍ବାର ବିଦ୍ୟୁତ୍ କାଟ୍ କରାଯାଉଛି ଏବଂ ସଠିକ୍ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉ ନାହିଁ।
ଏଥିରେ ଅତିଷ୍ଠ ହୋଇ ଲୋକମାନେ ବିଦ୍ୟୁତ୍ ଆଲୋକ ପାଇବା ଆଶାରେ ଗମ୍ଭାରୀମଳିହା ଗ୍ରାମବାସୀ ଶନିବାର ଭୋର ୪ଟାରୁ ସଞ୍ଜାମୁରା – ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଥିଲେ। ବିଜୁ ଜନତା ଦଳର କିଶୋରନଗର ବ୍ଲକ ସଭାପତି କୁମୁନ୍ଦ ଚନ୍ଦ୍ର ପ୍ରଧାନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଖବର ପାଇଁ କିଶୋରନଗର ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ।
ପରେ ବିଦ୍ୟୁତ୍ ବିଭାଗ ଉଚ୍ଚ ପଦାଧିକାରୀ ଓ ଜଙ୍ଗଲ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ଯୋଗାଯୋଗ କରାଯାଇ ସମସ୍ୟାର ସମାଧାନ ହେବା ପରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା ଏବଂ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ବଇଣ୍ଡା ବିଦ୍ୟୁତ୍ ବିଭାଗର ଏସଡିଓ ଅକ୍ଷୟ କୁମାର ସାହୁ କହିଛନ୍ତି ଯେ, ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ କାଟ କରାଯାଇଥିଲା।
