ଅନୁଗୋଳ: ମଣିଷ ବଞ୍ଚିଥିବା ବେଳେ ବହୁ ସଂଘର୍ଷ କରେ, କିନ୍ତୁ ମୃତ୍ୟୁ ପରେ ବି କ’ଣ ଏତେ ସଂଘର୍ଷ? ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରୁ ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ, ଯାହା ଶୁଣିଲେ ଯେକୌଣସି ବ୍ୟକ୍ତିର ଆଖି ଓଦା ହୋଇଯିବ। ବାଲିସାହିର ସ୍ୱର୍ଗତ କାଳିଆ ଗୋଚ୍ଛାୟତଙ୍କ ଶେଷ ଯାତ୍ରା ଏବେ ସ୍ଥାନୀୟ ପ୍ରଶାସନର ବିକାଶ ପୋଲର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି।
ନିର୍ମାଣାଧୀନ ପୋଲଟି ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଜୁର ନଦୀ ଏବେ ମୃତ୍ୟୁର ଫାଶ ସାଜିଛି। ଘରର ମୁରବିଙ୍କୁ ଶେଷ ବିଦାୟ ଦେବାକୁ ଯାଉଥିବା ପରିବାର ଓ ଗ୍ରାମବାସୀଙ୍କୁ ନଦୀର ପ୍ରଖର ସ୍ରୋତ ଅଟକାଇ ଦେଲା। ଶେଷରେ, ନିରୁପାୟ ହୋଇ ଦୁଇ ପାର୍ଶ୍ୱର ଗଛରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଭରସା କରି ଗ୍ରାମବାସୀ ଶବକୁ କାନ୍ଧରେ ବୋହି ପ୍ରଖର ସ୍ରୋତ ମଧ୍ୟରେ ପାର ହୋଇଥିଲେ।
ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ଶେଷ ସମୟରେ ମୃତକଙ୍କୁ ଏଭଳି ସମ୍ମାନ ଦେବାକୁ ପଡ଼ିବ ବୋଲି ପରିବାର ଲୋକେ କେବେ କଳ୍ପନା କରିନଥିଲେ। ବିକାଶର ଗପ ସରକାରୀ ଫାଇଲରେ ସୀମିତ ରହିଥିବା ବେଳେ, ସାଧାରଣ ଲୋକଙ୍କ ଦୁଃଖ କିନ୍ତୁ ବାସ୍ତବ। ତୁରନ୍ତ ଏହି ପୋଲ କାମ ସରିବା ଦରକାର, ନହେଲେ ଏଭଳି ଅମାନବୀୟ ସ୍ଥିତି ବାରମ୍ବାର ଦେଖିବାକୁ ମିଳିବ।











