ପିଇବା ପାଣି ପାଇଁ ବ୍ଲକ ଅଫିସରେ ତାଲା ପକାଇଲେ ଗାଁ ଲୋକେ, ସମାଧାନ ପ୍ରତିଶ୍ରୁତି ପରେ ଓହରିଲେ

0

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ବ୍ଲକ ପାଟକୁମୁଣ୍ତା ହରିଜନ ସାହିରେ ପିଇବା ପାଣି ସମସ୍ୟାକୁ ନେଇ ଆଜି ଗାଁର ଶତାଧିକ ପୁରୁଷ ଓ ମହିଳା ବ୍ଲକ ଘେରାଉ କରି ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଏ ଅବସରରେ ଉତ୍ତ୍ୟକ୍ତ ଲୋକେ ଧାରଣାରେ ବସିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ହରିଜନ ସାହିରେ ପ୍ରାୟ ୨୦୦ ପରିବାର ବାସ କରୁଛନ୍ତି। ଗତ ୪ ବର୍ଷ ହେଲାଣି ସେମାନେ ବସୁଧା ଯୋଜନାରେ ମିଳୁଥିବା ପିଇବା ପାଣି ବ୍ୟବହାର କରି ଆସୁଥିଲେ। କିନ୍ତୁ ବର୍ଷେ ହେଲାଣି ବୋରୱେଲର ଜଳସ୍ତର କମିଯିବାରୁ ସେମାନଙ୍କ ବସ୍ତିକୁ ଠିକ ଭାବେ ପିଇବା ପାଣି ପହଞ୍ଚି ପାରୁନାହିଁ। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ ସରପଞ୍ଚଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏ ନେଇ ସେମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବି ଅଭିଯୋଗ କରିଥିଲେ। ସେତେବେଳେ ୧୦ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଆଜି ଯାଏଁ ପିଇବା ପାଣି ସମସ୍ୟା ଦୂର ନ ହେବାରୁ ଗାଁ ଲୋକେ ବ୍ଲକରେ ତାଲା ପକାଇ ଧାରଣାରେ ବସିଛନ୍ତି।

ଖବର ପାଇ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା ଧାରଣା ସ୍ଥଳରେ ପହଞ୍ଚି ଆସନ୍ତା ଶୁକ୍ରବାର ଦିନ ଗାଁକୁ ପାନୀୟ ଜଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ସେତେବେଳ ଯାଏଁ ଗାଁ ଲୋକଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପରେ ଗାଁ ଲୋକେ ଧାରଣାରୁ ଉଠିଥିଲେ। ତା’ପରେ ବ୍ଲକ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.

error: Content is protected !!