ଅନୁଗୁଳ: ନିଯୁକ୍ତି ଓ ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିସ୍ଥିତ ଜରଡ଼ା ମୁଖ୍ୟ ଫାଟକ ଠାରେ ଛେଳିଆ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଛେଳିଆ ଗ୍ରାମ୍ୟ କମିଟି ସଭାପତି ମାଗୁଣି ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୋମବାର ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଖଣି ପରିସର ଏନଟିପିସି ରେଲ୍ ସାଇଡିଂ, ଜେଆଇଟିପିଏଲ୍ ସାଇଡିଂ ଆଦି ବନ୍ଦ ରହିବା ସହିତ ଖଣି ଷ୍ଟକ୍ ୟାଡରେ ବାଧା ଉପୁଜିଥିଲା। ଖଣି ମହାପ୍ରବନ୍ଧକ ନରେଶ ସିଂ, ରାଜସ୍ୱ ଓ ଭୂଅର୍ଜନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ଜେନା ଓ ଭବାନୀ ଶଙ୍କର ସାହୁ ପ୍ରମୁଖ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପରେ ଖଣିବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଥିଲା। ପରେ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
ବଡ଼ତ୍ରିବିଡା ସରପଞ୍ଚ ଶାନ୍ତନୁ କୁମାର ପ୍ରଧାନ, ଗ୍ରାମ୍ୟ କମିଟି ସମ୍ପାଦକ ପ୍ରଫୁଲ୍ଲ ବେହେରା, ବାବୁଲି ପ୍ରଧାନ, ବିଜୟ କୁମାର ପ୍ରଧାନ, ଭୁବନ ସାହୁ, ସୁମନ୍ତ ସାହୁ, ଆକାଶ ସାହୁ, ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।