ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣାକୋଟ ଥାନା ତରଭା ନିକଟରେ ବନ ବିଭାଗ ଗାଡି ଧକ୍କାରେ ଜଣେ ବିଭାଗୀୟ ୱାଚରର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ବାସିନ୍ଦା।
ସୂଚନା ଯେ, ୨୩ ବର୍ଷୀୟ ୱାଚର ସମ୍ବିତ ଦାସ ତରଭା ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିଲେ। ସେ ରାସ୍ତା କଡରେ ଠିଆ ହୋଇଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ସମ୍ବିତଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ନିଆଯାଇଥିଲା। ହେଲେ ମଙ୍ଗଳବାର ସକାଳେ ପରିବାର ଓ ଗାଁ ଲୋକେ ପମ୍ପାସର ଗେଟ ନିକଟରେ ୨୦ ଲକ୍ଷ ଟଙ୍କା ଦାବିରେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ବୀମା ଦେୟ ଛାଡି ଦୁଇ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ମିଳିବାରୁ ରାସ୍ତାରୋକ ହଟିଥିଲା। ଏହାପରେ ଶବ ବ୍ୟବଛେଦ ହୋଇଥିଲା।