ଅନୁଗୁଳ: ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀବଳଭଦ୍ରଙ୍କର ତାଳଧ୍ଵଜ ରଥର ଏକ ଚକ ପହଞ୍ଚିଛି। ଆଜି ସକାଳେ ପୁରୀ ଶ୍ରୀମନ୍ଦିରରୁ ଏହି ରଥ ଚକ ତାଳଚେରରେ ପହଞ୍ଚିଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁମାନେ ଧୂପ, ଦୀପ, ନୈବେଦ୍ୟ ଓ ପୁଷ୍ପ ଦେଇ ସ୍ବାଗତ କରିଥିଲେ। ଏହା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ରଥ ଚକକୁ ସାଉଥବଲଣ୍ଡା ଅଣାଯାଇଥିଲା। ଏହି ରଥ ଚକକୁ ମନ୍ଦିର ପରିସରରେ ରଖାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ରଥଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଚକଗୁଡିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯାଇଥାଏ। ଶକ୍ତି ଶ୍ରୀକ୍ଷେତ୍ରକୁ ଆସିଥିବା ଏହି ପବିତ୍ର ରଥ ଚକ୨୦୨୦ ମସିହା ରଥଯାତ୍ରା ସମୟରେ ତାଳଧ୍ଵଜ ରଥରେ ଲାଗିଥିଲା। ଆଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଚକକୁ ମଧ୍ୟ ଏଠାକୁ ଅଣାଯିବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି।