ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ବନ ବିଭାଗ ବିଫଳ ହେଉଛି। ଫଳରେ କେବଳ ଶିକାର ନୁହେଁ, ବିଦ୍ୟୁତ୍ ତାରରେ ଫାଶ ବସାଯିବା ଯୋଗୁଁ ଲୋକେ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ଗୁରୁବାର ବିଳମ୍ବିତ ରାତିରେ ଠାକୁରଗଡ଼ ଝିଲିମୁଣ୍ଡା ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରୁ ବାରହା ଶିକାର ପାଇଁ ଶିକାରୀମାନେ ହୁକ ପକାଇ ବିଦ୍ୟୁତ୍ ଫାଶ ବସାଇଥିଲେ। ରାତି ପ୍ରାୟ ୧୧ଟାରେ ଫାଶରେ କୌଣସି ଜନ୍ତୁ ପଡ଼ିବାରୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗ ୫ରୁ ୭ ଥର ଚାର୍ଜ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଦ୍ୟୁତ୍ ସରବରାହ ହୋଇପାରିନଥିଲା, ଫଳରେ ସାନହୁଲା ପଞ୍ଚାୟତ ବାସୀ ଅନ୍ଧାରରେ ରହିଥିଲେ।
ଶୁକ୍ରବାର ସକାଳେ ବଇଣ୍ଡା ବିଦ୍ୟୁତ୍ ବିଭାଗର ଏକ ଟିମ୍ ଉକ୍ତ ଜଙ୍ଗଲରେ ଯାଞ୍ଚ କରିବା ପରେ ୧୧ କେଭି ତାରରେ ଫାଶ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ତାହାକୁ ଜବତ କରିଥିଲେ। ତେବେ ଶିକାରୀମାନେ ଫାଶରେ ପଡ଼ିଥିବା ଜନ୍ତୁକୁ ନେଇଯାଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗର ଏସଡିଓ ଅକ୍ଷୟ କୁମାର ସାହୁ ଲୋକଙ୍କୁ ସଚେତନ ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ବିଦ୍ୟୁତ୍ ତାରକୁ ଶିକାର ପାଇଁ ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଜନ୍ତୁ ଶିକାର ବଢିବା ସହ ଅନେକ ସମୟରେ ଲୋକେ ମଧ୍ୟ ଫାଶରେ ଲାଗି ମୃତ୍ୟୁବରଣ କରୁଛନ୍ତି।
