ରେଙ୍ଗାଳି ପାୱାରଗ୍ରୀଡ୍ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ ଜାରି: ଦାବି ପୂରଣ ନହେଲେ ରାଜରାସ୍ତା ଅବରୋଧ ଚେତାବନୀ

You are currently viewing ରେଙ୍ଗାଳି ପାୱାରଗ୍ରୀଡ୍ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ ଜାରି: ଦାବି ପୂରଣ ନହେଲେ ରାଜରାସ୍ତା ଅବରୋଧ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ସ୍ଥିତ ପାୱାରଗ୍ରୀଡ୍ (PGCIL) କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ହେଲା ଶ୍ରମିକ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ସହ ବିଭିନ୍ନ ଦାବି ନେଇ ଗତ ୨୬ ତାରିଖ ସକାଳୁ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ AIUTUC ଏବଂ AIPF ଶ୍ରମିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଥିବା ବେଳେ ସଂଗଠନର ସଭାପତି ଜୟସେନ ମେହେର ଓ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ସାହୁ ଏହାର ନେତୃତ୍ୱ ନେଉଛନ୍ତି। ଆଜି ଦ୍ୱିତୀୟ ଦିନର ଧାରଣାରେ ଓଏଚପିସି (OHPC) ଠିକା ଶ୍ରମିକମାନେ ମଧ୍ୟ ସାମିଲ ହୋଇ ଆନ୍ଦୋଳନକୁ ଅଧିକ ବ୍ୟାପକ କରିଛନ୍ତି।

ଶ୍ରମିକମାନଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରାଯାଇଛି। ସେଥିମଧ୍ୟରେ ଛଟେଇ ଶ୍ରମିକଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦେବା, ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ବିଭାଗରେ କାମ କରୁଥିବା ଶ୍ରମିକଙ୍କୁ ମାସକୁ ଅତିକମରେ ୨୬ ଦିନର କାର୍ଯ୍ୟ ଦିବସ ଯୋଗାଇବା ଏବଂ ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଇଏସଆଇ କାର୍ଡ ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ। ଏଥିସହିତ ନିର୍ଦ୍ଧାରିତ ସମୟଠାରୁ ଅଧିକ କାର୍ଯ୍ୟ ପାଇଁ ଅତିରିକ୍ତ ପାରିଶ୍ରମିକ ପ୍ରଦାନ ଏବଂ ପ୍ରତି ମାସରେ ଶ୍ରମିକଙ୍କ ଇପିଏଫ ଅର୍ଥ ଜମା କରିବା ପାଇଁ ମଧ୍ୟ ଦାବି ହୋଇଛି। ପୂର୍ବରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପାୱାରଗ୍ରୀଡ୍ ଡିଜିଏମ୍ ତପନ କୁମାରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କର୍ତ୍ତୃପକ୍ଷଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଶ୍ରମିକ ସଙ୍ଗଠନ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଦିନରେ ଏହି ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଶ୍ରମିକମାନେ ସେମାନଙ୍କ ପରିବାର ବର୍ଗଙ୍କ ସହ ମିଶି ପାୱାରଗ୍ରୀଡ୍ ଫାଟକକୁ ସମ୍ପୂର୍ଣ୍ଣ ଅବରୋଧ କରିବା ସହ ରାଜରାସ୍ତା ବନ୍ଦ କରିବେ ବୋଲି ସୂଚନା ଦେଇଛନ୍ତି। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ବିଦ୍ୟାଧର ସାମଲ, ବଂଶୀଧର ସାହୁ, କୈଳାସ ମାଝୀ, ଗୌତମ ସେଠୀ ଓ ବିନୋଦ ନାଏକଙ୍କ ସମେତ ବହୁ ସଂଖ୍ୟାରେ ଶ୍ରମିକ ଉପସ୍ଥିତ ଥିଲେ।

Share

Leave a Reply