ଅନୁଗୁଳରେ ବିଶ୍ଵ ଅଙ୍ଗଦାନ ଦିବସ: ଅଙ୍ଗଦାନ କରି ଅମର ହୋଇଥିବା ବିଶ୍ୱଜିତଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କା

You are currently viewing ଅନୁଗୁଳରେ ବିଶ୍ଵ ଅଙ୍ଗଦାନ ଦିବସ: ଅଙ୍ଗଦାନ କରି ଅମର ହୋଇଥିବା ବିଶ୍ୱଜିତଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କା

ଅନୁଗୁଳ: ଅନୁଗୁଳ ଶିକ୍ଷକପଡ଼ାର ମହାଦେବ ଦାସ ଓ ମମତା ଦାସଙ୍କ ପୁଅ  ବିଶ୍ୱଜିତ୍ ଦାସ। ବୟସ ୨୮ ବର୍ଷ। ଜଣେ ଉଦୀୟମାନ ବ୍ୟବସାୟୀ ଭାବେ ବେଶ ଜଣା ଶୁଣା ଥିଲେ। କିନ୍ତୁ ନୀୟତିର କ୍ରୁର ବିଚାର ଥିଲା। ଗତ ମେ’ ୨୧ ତାରିଖରେ ଢେଙ୍କାନାଳ ଦୁଦୁରକୋଟ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ବିଶ୍ୱଜିତ୍।ତାଙ୍କୁ କିମସ ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ କିଛି ହୋଇପାରି ନ ଥିଲା। ଡାକ୍ତର ପରିବାର ଲୋକଙ୍କୁ ଡାକି ତାର ବ୍ରେନ୍ ଡେଡ୍ ହୋଇଥିବା ଘୋଷଣା କରିଥିଲେ ଆଉ ଅଙ୍ଗଦାନ କରିବାକୁ ପ୍ରବର୍ତ୍ତାଇଥିଲେ। ଏ କଥା ଶୁଣି ମା’ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ।କିନ୍ତୁ ଶେଷରେ ସେ ରାଜି ହୋଇଥିଲେ। ପୁଅର ଦୁଇଟି କିଡନୀ ଦାନ କରିବାକୁ।”ପୁଅ ପିଲା ବେଳେ କହୁଥିଲା ମା, ମୁଁ ବଡ଼ ହେଲେ ତୋ ନାଁ ରଖିବି ଆଉ ସତରେ ସେ ଅଙ୍ଗଦାନ କରି ଅମର ହୋଇଗଲା”।

ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ବିଶ୍ଵ ଅଙ୍ଗଦାନ ଦିବସରେ ସମ୍ବର୍ଦ୍ଧିତ ହେବା ଅବସରରେ ସେଦିନର ଛାତିଥରା କାହାଣୀ କହି ବାଷ୍ପରୁଦ୍ଧ ହୋଇ ପଡୁଥିଲେ ବିଶ୍ୱଜିତଙ୍କ ମା’। ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱଜିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଥି ସହିତ ଅଙ୍ଗଦାନ ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ଶ୍ରୀ ପ୍ରୀତିମୟ ପ୍ରକାଶ କରିଥିଲେ।ସଭାରେ ସଭାପତିତ୍ବ କରି ସିଡିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଅଙ୍ଗଦାନର ମହତ୍ତ୍ଵ ଏବଂ ଏଥିନେଇ ସାମାଜିକ ସଚେତନତା ଉପରେ ଆଲୋକପାତ କରିଥିଲେ।

ସୋଟାର ଯୁଗ୍ମ ନିର୍ଦ୍ଦେଶକ ଡ଼ା ବିଭୂତି ଭୂଷଣ ନାୟକ ଅଭାସି ମୋଡରେ ଅଙ୍ଗଦାନ ପଞ୍ଜିକରଣ କିପରି ଅନଲାଇନ୍ କରାଯିବ ଏବଂ କେଉଁ ପରିସ୍ଥିତିରେ ଅଙ୍ଗଦାନ କରାଯିବ ତାହା ବିସ୍ତୃତ ରୂପେ ବୁଝାଇଥିଲେ। ଜଣେ ବ୍ୟକ୍ତି ଚାହିଁଲେ ହାର୍ଟ,ଆଖି,କିଡନୀ, ଲିଭର, ଟିସୁ ଆଦି ଦାନ କରି କିଭଳି ଅନ୍ୟ ମାନଙ୍କ ଜୀବନ ରକ୍ଷା କରିପାରିବ ତାହା ଡ଼ା ନାୟକ ପ୍ରକାଶ କରିଥିଲେ। ପୁଷ୍ପାଞ୍ଜଳି ଦେହୁରୀ ଏବଂ ବାଣୀ ଦେବ ଅଙ୍ଗଦାନ କରିବାକୁ ଶପଥ ନେବାରୁ ତାଙ୍କୁ ସ୍ବାଗତ କରାଯାଇଥିଲା।

ଆଇଏମ୍ଏ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହଯୋଗରେ ହେଉଥିବା ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ବିଶ୍ୱଜିତ୍ ସାମଲ,ଡ଼ା ପ୍ରଭାତ କୁମାର ପଣ୍ଡା,ଡ଼ା ମାନସ ରଞ୍ଜନ ବିଶ୍ଵାଳ,ଡ଼ା ସୌମ୍ୟକାନ୍ତ ବିଶୋଇ ,ଅନ୍ୟ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ,କର୍ମଚାରୀ ନେତା ଅକ୍ଷୟ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଅଙ୍ଗଦାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକରେ ସହରର ଜେସିଆଇ ସଂଗଠନ, ବଣିକ ସଂଘ, ରୋଟାରୀ କ୍ଳବ୍ ରୟାଲର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବି ଯୋଗ ଦାନ କରିଥିଲେ।

Share

Leave a Reply