ଅନୁଗୁଳ: ଅନୁଗୁଳ ସହରରେ ଏବେ ବଢ଼ିବାରେ ଲାଗିଛି ଭାଇଗିରି। ୧୬ରୁ ୨୫ ବର୍ଷର ଯୁବକଙ୍କୁ ହାତକୁ ନେଇ କିଛି ଅସାମାଜିକ ଗୋଷ୍ଠୀ ଏହି ଭାଇଗିରି ଆରମ୍ଭ କରିଛନ୍ତି। ଫଳରେ ଅନୁଗୁଳର ଶାନ୍ତ ପରିବେଶ ନଷ୍ଟ ହେବାକୁ ବସିଲାଣି।
ଯୁବକଙ୍କୁ କବ୍ଜା କରିବାକୁ ଏହି ଗ୍ୟାଙ୍ଗ ଆପଣାଉଥିବା ତରିକା ବି ଟିକେ ଭିନ୍ନ। ଅନୁଗୁଳକୁ ପଢ଼ିବାକୁ ବାହାରୁ ଆସୁଥିବା ପିଲା ହେଉଛନ୍ତି ଏମାନଙ୍କ ଟାର୍ଗେଟ। ପ୍ରଥମେ ଏମାନେ ସେବା କରିବା ଢଙ୍ଗରେ କ୍ଳବ ଗ୍ୟାଙ୍ଗ ତିଆରି କରି ଚାଦର କମ୍ବଳ ବାଣ୍ଟି ଲୋକଙ୍କ ସାମ୍ନାକୁ ଆସନ୍ତି। ତା’ ପରେ ନିଜର ଗ୍ୟାଙ୍ଗ ବା କ୍ଳବରେ ନାବାଳକ ଠାରୁ ସାବାଳକ ସମସ୍ତଙ୍କୁ ମିଶିବାକୁ ମଧ୍ୟ ବାଧ୍ୟ କରୁଛନ୍ତି। ବାହାରୁ ଏଠାକୁ ପଢିବାକୁ ଆସୁଥିବା ପିଲାଙ୍କୁ ଡରାଇ ଧମକାଇ ଏମାନେ ଟଙ୍କା ମଧ୍ୟ ଆଦାୟ କରୁଥିବା ଜଣାପଡ଼ିଛି। କ୍ଳବରେ ମିଶିଲେ ସହର ମଧ୍ୟରେ ଯେ କୌଣସି ଅସୁବିଧା ହେଲେ ଆମେ ପହଞ୍ଚିବୁ ବୋଲି ସେମାନେ ଅଭୟ ବାଣୀ ମଧ୍ୟ ଦେଉଛନ୍ତି। ଆଉ ତା’ ପରେ ପିଲାଙ୍କୁ ମୋହରା ବନାଇ ଆରମ୍ଭ କରୁଛନ୍ତି ଅପରାଧ।
ଏବେ ଶିକ୍ଷାନୁଷ୍ଠାନରେ ମୋ ଗ୍ୟାଙ୍ଗ- ତୋ ଗ୍ୟାଙ୍ଗ କରି ପିଲା ପ୍ରତିଯୋଗିତା କରୁଛନ୍ତି। ସାମାନ୍ୟ ବଚସା ହେଲେ ନିଜ ନିଜ ଗ୍ୟାଙ୍ଗ ଧରି ଗଣ୍ଡଗୋଳ କରିବାକୁ ମଧ୍ୟ ଏମାନେ ପଛାଉନାହାନ୍ତି।
ତେବେ ଅନୁଗୁଳର ଶାନ୍ତ ପରିବେଶକୁ ନଷ୍ଟ କରୁଥିବା ଏଭଳି ଅସାମାଜିକ ଯୁବକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି।











