ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ

You are currently viewing ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ସାମ୍ବତ୍ସରିକ ବିଷୁବ ମିଳନ ଉତ୍ସବ ଆୟୋଜିତ ହୋଇଯାଇଛି। ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର,କବି ତଥା ସମାଲୋଚକ ଡା ବିଜୟ କୁମାର ଶତପଥୀ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଡ଼ା ଶତପଥୀ ନିଜ ଅଭିଭାଷଣରେ ସାଂପ୍ରତିକ ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତିର ସ୍ଥିତି,ଏହାର କ୍ରମବିକାଶ ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ। ଆଜିର ଯୁବ ସମାଜକୁ ସାହିତ୍ୟ ସହ ଜଡିତ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ଏବଂ ସେମାନେ ସାହିତ୍ୟ ମନସ୍କ ହେଲେ ଯାଇ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ହେବ ବୋଲି ଡ଼ା ଶତପଥୀ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ରୂପେ ରୋଟରିଆନ ନିଖିଲ ରଞ୍ଜନ ମିଶ୍ର ଯୋଗ ଦେଇ ବିଷୁବ ମିଳନ ସମାରୋହ କବି ଓ ଲେଖକ ମାନଙ୍କୁ ପ୍ରେରଣା ଦେଇଥାଏ ବୋଲି କହିଥିଲେ।କବୟିତ୍ରୀ ଡ଼ା ଇନ୍ଦିରା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସାହିତ୍ୟ ସଂସଦ ର ସମ୍ପାଦକ ରାଧାକାନ୍ତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହ ବିଷୁବ ସମାରୋହର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ।ସାହିତ୍ୟ ସଂସଦ ର ସଭାପତି ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସ ଓଡ଼ିଆ ସାହିତ୍ୟରେ ବିଷୁବ ମିଳନର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କୁ ରାଜା ସୋମନାଥ ସିଂହ ସମ୍ମାନ,ବିଶିଷ୍ଟ କବି,ବକ୍ତା ତଥା ଆଲୋଚକ ଶାନ୍ତନୁ କୁମାର ସରଙ୍କୁ କବି ରାଧାମୋହନ ଗଡ଼ନାୟକ ସମ୍ମାନ ଏବଂ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ପବିତ୍ର ମୋହନ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ମୁଖ୍ୟ ଅତିଥି ଉପଢୌକନ,ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସେହିପରି ଶ୍ରୀମତୀ ଗୀତାଞ୍ଜଳି ଦାସ,ଅକ୍ଷୟ କୁମାର ବେହେରା,ଶୁକଦେବ ସାହୁ,ଶ୍ରୀମତୀ ଜ୍ୟୋତ୍ସ୍ନା ଦାସ, ସାନନ୍ଦ ଚନ୍ଦ୍ର ପରିଡ଼ା ଏବଂ ବଜରଙ୍ଗଲାଲ ଅଗ୍ରୱାଲଙ୍କୁ ସାରସ୍ଵତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହାପରେ ବିଭିନ୍ନ କବି ଓ ଲେଖକଙ୍କ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ଶେଷରେ ଯଦୁମଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବୈରାଗୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା।ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ଶିବରାମ ମିଶ୍ର,ଅରୁଣ ସାହୁ,ଦିପ୍ତିମୟୀ ବିଶ୍ଵାଳ ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply