ତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

You are currently viewing ତାଳଚେର ହିଙ୍ଗୁଳା ପୀଠରେ ସ୍ତମ୍ଭଶ୍ଵରୀ ଉପାସନା: ଏକ ଅନନ୍ୟ ଶକ୍ତି ପରମ୍ପରା

ତାଳଚେର: ଓଡ଼ିଶାର ଅଷ୍ଟଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠ ଏକ ବିରଳ ଓ ପ୍ରାଚୀନ ପରମ୍ପରାର ମୂକସାକ୍ଷୀ। ଏଠାରେ ମା’ ହିଙ୍ଗୁଳାଙ୍କ ସହିତ ମା’ କୁଟେଇଶୁଣୀ, ମା’ କରଡେଇ, ଅନ୍ଦାରୀ ମହାଦେବ, ଚଣ୍ଡୀ ଏବଂ ଖମ୍ବେଶ୍ଵରୀ ପୂଜା ପାଇଥାନ୍ତି। ଏହି ପୀଠର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ଦେବୀଙ୍କର କୌଣସି ପଥର କିମ୍ବା କାଠର ନିର୍ଦ୍ଦିଷ୍ଟ ମୂର୍ତ୍ତି ନାହିଁ। ଯାତ୍ରା ସମୟରେ ମା’ କୁଟେଇଶୁଣୀ ଓ କରଡେଇଙ୍କ ପ୍ରତୀକ ଭାବେ ପାଟଶାଢ଼ୀ ପରିହିତ ଘୋଡ଼ା ଏବଂ ‘ଆଲମ’ ବା ଚଳନ୍ତି ପ୍ରତିମାକୁ ମହାସମାରୋହରେ ପୂଜା ପଣ୍ଡପକୁ ଅଣାଯାଏ। ପୀଠର ବାମ ପାର୍ଶ୍ୱରେ ‘ଅନ୍ଦାରୀ ମହାଦେବ ଓ ମହାଦେବୀ’ ପୂଜିତ, ଯେଉଁଠାରେ ଦୁଇଟି କଳା ଓ ଧଳା ରଙ୍ଗର କ୍ଷୁଦ୍ର ପଥର ସ୍ତମ୍ଭକୁ ଶିବ-ଶକ୍ତି ରୂପେ ଗ୍ରହଣ କରାଯାଏ। ଏଠାରେ ଦୀପ ଜାଳିବା ନିଷେଧ ହୋଇଥିବାରୁ ଏହାକୁ ‘ଅନ୍ଦାରୀ ପିଢ଼’ କୁହାଯାଏ। ହିଙ୍ଗୁଳା ପୀଠର ପଶ୍ଚାତ୍ ଭାଗରେ ଚଣ୍ଡୀ ଓ ସ୍ତମ୍ଭଶ୍ଵରୀଙ୍କ ପ୍ରତୀକ ଭାବେ ଦୁଇଟି ଶାଳ କାଠର ଖମ୍ବ ପୂଜା ପାଆନ୍ତି। ଏହି ସ୍ତମ୍ଭ ଦ୍ଵୟର ନବକଳେବର ବିଧି ଅତ୍ୟନ୍ତ ନିଆରା।

ଯେତେବେଳେ ତାଳଚେରର କୌଣସି ରାଜାଙ୍କ ମୃତ୍ୟୁ ହୁଏ ଏବଂ ନୂତନ ରାଜା ସିଂହାସନ ଆରୋହଣ କରନ୍ତି, ସେହି ସମୟରେ ହିଁ ଏହି ଶାଳ ଖମ୍ବର ପରିବର୍ତ୍ତନ କରାଯାଇଥାଏ। ପଥର ଓ କାଠ ଖମ୍ବର ଏହି ମିଳିତ ଉପାସନା ପ୍ରମାଣିତ କରେ ଯେ, ପ୍ରାଚୀନ ସ୍ତମ୍ଭ ପୂଜାର ପରିବର୍ତ୍ତିତ ରୂପ ହିଁ ଆଜିର ଶକ୍ତି ଉପାସନା। ଏହି ପରମ୍ପରା ଆଞ୍ଚଳିକ ସଂସ୍କୃତି ଓ ରାଜକୀୟ ଇତିହାସର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛି।

Share

Leave a Reply