ଅଗ୍ନିକାଣ୍ଡରେ ଯୁବକ ମୃତ୍ୟୁର ପର୍ଦ୍ଦାଫାସ: ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଛନ୍ତି, ପତ୍ନୀ ଓ ପ୍ରେମିକ ଗିରଫ

You are currently viewing ଅଗ୍ନିକାଣ୍ଡରେ ଯୁବକ ମୃତ୍ୟୁର ପର୍ଦ୍ଦାଫାସ: ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଛନ୍ତି, ପତ୍ନୀ ଓ ପ୍ରେମିକ ଗିରଫ

ଅନୁଗୁଳ: ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଛନ୍ତି ସ୍ୱାମୀ। ଦୁଇଦିନ ତଳେ ଅନୁଗୁଳ ସହରର ଗୀତାଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ଯୁବକଙ୍କ ମୃତ୍ୟୁର ତଦନ୍ତ କରି ଆଜି ପୋଲିସ ଏହି ତଥ୍ୟ ଜାଣିବାକୁ ପାଇଛି। ମାମଲାରେ ମୃତକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଜୟପୁର ସହରର ସରୋଜ ସାହୁ ସୋମବାର ଭୋର୍‌ ସମୟରେ ଗୀତାଗ୍ରାମରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିଲେ। ଘର ଭିତରେ କବାଟ ବନ୍ଦ କରି ନିଆଁ ଲଗାଇ ଦେବାରୁ ସେ ଜିଅନ୍ତା ଜଳି ଯାଇଥିଲେ। ଏ ନେଇ ସରୋଜଙ୍କ ମା’ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ସରୋଜଙ୍କ ପତ୍ନୀ ଗୀତାଞ୍ଜଳି ସାହୁ(୨୮) ସବୁବେଳେ ସ୍ବାମୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ବିବାହ ପରେ ସେମାନେ ଜୟପୁରରେ ଅଲଗା ଭଡ଼ା ଘରେ ରହୁଥିଲେ। ଏହି ସମୟରେ ମାଇକ୍ରୋ ଫାଇନାନ୍ସରେ କାମ କରୁଥିବା ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳର କେଶବ ଗୌଡ଼(୨୭)ଙ୍କ ସହ ତାଙ୍କର ଅନୈତିକ ସଂପର୍କ ଗଢ଼ି ଉଠିଥିଲା। ଏହାକୁ ବିରୋଧ କଲେ ଉଭୟ ମିଶି ସରୋଜଙ୍କୁ ଗାଳିମନ୍ଦ କରୁଥିଲେ। ପରେ କେଶବଙ୍କର ଅନୁଗୁଳ ବଦଳି ହୋଇ ଯାଇଥିଲା। ଏହାର କିଛି ଦିନ ପରେ କେଶବ ଗୀତାଞ୍ଜଳିଙ୍କୁ ଅନୁଗୁଳକୁ ଡକାଇଥିଲେ। ଏଠାକୁ ଗୀତାଞ୍ଜଳି ଓ ତାଙ୍କ ସ୍ବାମୀ ସରୋଜ ଆସିଥିଲେ। କିନ୍ତୁ ଏଠାରେ ଉଭୟଙ୍କର ଅନୈତିକ ସଂପର୍କ ଦେଖିବା ପରେ ସେ ବିରୋଧ କରିଥିଲେ। ‌ଏଥିପାଇଁ ରବିବାର ରାତିରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। କେଶବ ଏଥିରେ ଗୀତାଞ୍ଜଳିଙ୍କ ପକ୍ଷ ନେଇ ସରୋଜଙ୍କୁ ବି ଗାଳି କରିଥିଲେ। ପରେ ଭୋର ସମୟରେ ସରୋଜ ଆତ୍ମହତ୍ୟା କରିଥିଲେ।

ଏଣୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବାରୁ କେଶବ ଓ ଗୀତାଞ୍ଜଳିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

Share

Leave a Reply