ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳର ଶତାଧିକ ଯୁବକଙ୍କୁ ନେଇ ରବିବାର “ଯୁବସମ୍ବାଦ” ଆୟୋଜିତ ହୋଇଛି। ଓଡ଼ିଶାରେ ସରକାର ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର କିପରି ଉଜୁଡ଼ି ଯାଉଛି ଏବଂ ମୁଖ୍ୟସ୍ରୋତ ସାମାଜିକ ଓ ରାଜନୈତିକ ଶକ୍ତି ଗୁଡ଼ିକ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି, ତାହା ଆଲୋଚନାର ମୁଖ୍ୟ ବିଷୟ ଥିଲା। ଏଭଳି ସ୍ଥିତିରେ ଯୁବକମାନଙ୍କୁ ସମାଜ କଲ୍ୟାଣର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମନ୍ତେ ମଦମୁକ୍ତି ଯୁବବାହିନୀ “ଯୁବ ସମ୍ବାଦ” ଆୟୋଜିତ କରିଥାଏ ବୋଲି ଆବାହକ ସତ୍ୟବ୍ରତ ପୃଷ୍ଟି ପ୍ରକାଶ କରିଛନ୍ତି।
ସ୍ଥାନୀୟ ମାରୱାଡ଼ି ଯୁବମଞ୍ଚ ଠାରେ ଓମ୍ କାର ଶାନ୍ତି ପାଠରୁ ଆରମ୍ଭ ହୋଇ ଦିନସାରା ଚାଲିଥିବା ଏହି କାର୍ଯ୍ୟକ୍ରମ ପର୍ଶୁରାମ ଦାଶଙ୍କ ନେତୃତ୍ୱରେ ହୁଲିରିସିଙ୍ଗା ଛକ ଜାତୀୟ ରାଜପଥ କଡରେ ଏକ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ସହ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଗୁଳ ଜିଲ୍ଲା ସଂଯୋଜକ ଦୀପକ କୁମାର ପ୍ରଧାନ ସହ-ସଂଯୋଜକ ଆଶିଷ୍ ଛନ୍ଦଙ୍କ ସମେତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ସଞ୍ଜୟ ମହାନ୍ତି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟ ଡଃ ତାରାକାନ୍ତ ନାୟକ, ଲଲାଟେନ୍ଦୁ ପାତ୍ର, ହରିଶ୍ ପାଣିଗ୍ରାହୀ, ହିମାଂଶୁ ଶେଖର ନାୟକ, ଅଭିଜିତ୍ ପାତ୍ର, ମନୋଜ କୁମାର ସାହୁ, ରଶ୍ମିରଞ୍ଜନ ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।