ନାବାଳିକା ବିବାହ ବନ୍ଦ୍ କଲା ପ୍ରଶାସନ

You are currently viewing ନାବାଳିକା ବିବାହ ବନ୍ଦ୍ କଲା ପ୍ରଶାସନ

ଅନୁଗୁଳ: ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ଏବଂ ସକ୍ରିୟ ହୋଇପଡ଼ିଛି । ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ବାଲ୍ୟ ବିବାହକୁ ରୋକିବା ଓ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଚିଠି କରିବା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏଥିନେଇ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଭଳି କଠୋର ପଦକ୍ଷେପ ଯୋଗୁଁ ରବିବାର ଏକ ନାବାଳିକା ବିବାହକୁ ତାଳଚେରରେ ରୋକାଯାଇ ପାରିଛି ।ସୂଚନା ମୁତାବକ ତାଳଚେର ପୌରାଞ୍ଚଳର ୨ ନମ୍ବର ୱାର୍ଡର ରାଣୀପାର୍କ ନିକଟରେ ରହୁଥିବା ଜଣେ ୧୭ ବର୍ଷିୟା ନାବାଳିକାର ବାହାଘରକୁ ଆଜି ଶିଶୁ ସୁରକ୍ଷା ବିଭାଗ ବନ୍ଦ କରିଛି । ପରିବାର ପକ୍ଷରୁ ଉକ୍ତ ନାବାଳିକାକୁ ସ୍ଥାନୀୟ ଏକ ଶିବ ମନ୍ଦିରରେ ବିବାହ ପାଇଁ ସମସ୍ତ ପ୍ରକାର ଆୟୋଜନ ଚାଲିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଡିପିଓ ଲୀଳାବତୀ ନାଗ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ପୁଲିସ ନାବାଳିକା ଘରେ ପହଞ୍ଚି ଏହି ବାହାଘର କରିବାକୁ ବାରଣ କରିଥିଲେ । ଝିଅକୁ ଦେଖିବାକୁ ବରଘର ଆସୁଛନ୍ତି ବୋଲି ନାବାଳିକାର ପରିବାରର ସଫେଇ ଦେଇଥିଲେ ହେଁ ପାରିପାର୍ଶିକ ଅବସ୍ଥାକୁ ଦେଖି ଏହା ଏକ ବିବାହ ଉତ୍ସବ ବୋଲି ଅଧିକାରୀମାନେ ହୃଦୟଙ୍ଗମ କରିଥିଲେ। ଅଧିକାରୀମାନେ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ନାବାଳିକାର ବୟସ ୧୮ ବର୍ଷ ହେଲା ପରେ ବିବାହ କରାଇବାକୁ ଚୁକ୍ତିନାମା କରିଥିଲେ ନାବାଳିକାର ପରିବାର। ଅପରପକ୍ଷରେ ନାବାଳିକା ଘରେ ଚଢ଼ାଉ ଖବର ସୂଚନା ପାଇ ବାଲେଶ୍ଵର ଜିଲ୍ଲାରୁ ଆସିଥିବା ବର ଓ ବରଯାତ୍ରୀ ଦଳ ଘଟଣାସ୍ଥଳରୁ ଛୁ ମାରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

 

Share

Leave a Reply