ଅନୁଗୁଳ: ଏନ୍ଜେଏନ୍ଠାରୁ ବିଦ୍ୟୁତ୍ ଆବଣ୍ଟନ ଦାୟିତ୍ବ ଟିପିସିଓଡିଏଲ୍ (ଟାଟା ପାଵାର୍ ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମଟେଡ୍) ଅଧୀନକୁ ଯିବା ପରେ ପୂର୍ବରୁ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ। ବାରମ୍ବାର ଦାବି ସତ୍ତ୍ବେ ଟାଟା ପାୱାର ସେମାନଙ୍କୁ ନିଯୁକ୍ତି ନ ଦେବାରୁ ଗୁରୁବାର ପାଳଲହଡ଼ା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଛଟେଇ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ୍ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ପ୍ରକାଶ ଯେ, ପାଳଲହଡ଼ା ବ୍ଲକ୍ ଅଞ୍ଚଳର ୩୦ରୁ ଅଧିକ ଠିକା କର୍ମଚାରୀ ଗତ ୮ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ସେମାନଂକୁ ମିଟର ରିଡର୍, ବିଲ୍ କଲେକ୍ଟର ଅବା ଲାଇନ ମ୍ୟାନ ଭାବରେ ପୁନଃ ଅବସ୍ଥାପିତ କରାଯିବା ନେଇ ପ୍ରତିଶ୍ରୁତି ଦିଆ ଯାଇଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ଦିଆଯାଉନଥିବା ବେଳେ ନୂଆ ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହାକୁ ବିରୋଧ କରି ଆଜି ସମସ୍ତ ଛଟେଇ କର୍ମଚାରୀ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ନାରାବାଜି କରିଥିଲେ। ସେମାନଙ୍କୁ ପୁନଃ ନିଯୁକ୍ତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଛଟେଇ କର୍ମଚାରୀ ପେଟ୍ରୋଲ୍ ଢାଳି ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ କାବୁ କରିନେଇଥିଲା। ଦାବି ପୂରଣ ନହେଲେ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ସାମୂହିକ ଆତ୍ମାହୂତି ଦେବାକୁ ଛଟେଇ କର୍ମଚାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ସ˚ସ୍ଥାର ମାନବ ସମ୍ବଳ ବିଭାଗକୁ ଅବଗତ କରାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
1
f600b249-5c54-442c-a949-d6bc81000fab
Prev Post
Next Post