କଲେଜରୁ ଫେରିବା ବାଟରୁ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

You are currently viewing କଲେଜରୁ ଫେରିବା ବାଟରୁ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଧୀର ଓରଫ ପ୍ରଫୁଲ୍ଲ ନାଏକଙ୍କୁ ଦଫା ୩୬୬ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ପୋକ୍‌ସୋ ଆଇନର ଧାରା ୬ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ମୁତାବକ, ଦେବଗଡ଼ ଜିଲ୍ଲାର ଜଣେ ନାବାଳିକା ୨୦୧୬ ମସିହାରେ ମାମୁ ଘର ପାଳଲହଡ଼ାର ଏକ ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ୁଥିଲେ। ୨୦୧୬ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମହାବିଦ୍ୟାଳୟରୁ ଛାତ୍ରୀ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ପାଳଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ନାବାଳିକାଙ୍କୁ ଖୋଜି ଉଦ୍ଧାର କରିଥିଲା। ନାବାଳିକା ପୋଲିସ ଆଗରେ ପ୍ରକାଶ କରିଥିଲେ ଯେ, ଅପହର୍ତ୍ତା ଧୀର ଓରଫ ପ୍ରଫୁଲ୍ଲ ନାଏକ(୨୬) ତାଙ୍କୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିଥିଲେ। ପୋଲିସ ପ୍ରଫୁଲ୍ଲଙ୍କୁ ଗିରଫ କରି ଦଫା ୩୬୩, ୩୬୬, ୩୭୬(୨)(ଏନ୍) ଓ ପୋକ୍‌ସୋ ଆଇନର ଧାରା ୬ରେ କୋର୍ଟ ଚାଲାଣ କରିଥିଲା।

ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ପ୍ରଫୁଲ୍ଲ ନାଏକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଶାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।

Share

Leave a Reply