ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଶୁକ୍ରବାର ସକାଳେ ଅବକାରୀ ଟିମ୍ ନାଲ୍କୋ ଥାନା ଅଞ୍ଚଳ ବଳରାମପ୍ରସାଦ କେନ୍ଦୁପଲି ସାହିରେ ଚଢ଼ଉ କରି ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ବଳରାମପ୍ରସାଦ କେନ୍ଦୁପଲି ସାହିର ରାକେଶ ବେହେରା।
ପୁଲିସ ସୂଚନା ମୁତାବକ, ରାକେଶ ଦୀର୍ଘ ଦିନ ହେଲା ବ୍ରାଉନସୁଗାର କାରବାର କରି ଆସୁଥିଲା। ଅବକାରୀ ଟିମ୍ ତା’ ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ସେ କେନ୍ଦୁପଲି ସ୍କୁଲ ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ବେଳେ ଖବର ପାଇ ଅବକାରୀ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଚଢ଼ଉରେ ରାକେଶ ଠାରୁ ୨୨ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।