ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଏକ ଘରୋଇ ହୋଟେଲରୁ ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗ ୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ।
ସୂଚନା ଯେ, ସିଆଇଡି ଇନ୍ସପେକ୍ଟର ତପନ ନାୟକ ଗତ ଶନିବାର କୌଣସି କାର୍ଯ୍ୟରେ ଛେଣ୍ଡିପଦା ଅଞ୍ଚଳକୁ ଆସିଥିବା ବେଳେ ଛେଣ୍ଡିପଦା-ଜରପଡ଼ା ରାସ୍ତା ଇଲେକ୍ଟ୍ରି ଅଫିସ ପାଖରେ ଥିବା ହୋଟେଲ ନ୍ୟୁ ଉମାରେ ୩ ଜଣ ନାବାଳକ ବାସନ ମାଜିବା ଦେଖିଥିଲେ । ଏ ନେଇ ସେ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ଜିଲ୍ଲା ଶ୍ରମ ଆୟୁକ୍ତ ଇତିଶ୍ରୀ ଜାଗରାଇଙ୍କୁ ସୂଚନା ଦେଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ଉଭୟ ପୋଲିସ ଓ ଶ୍ରମ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଚଢଉ ବେଳେ ହୋଟେଲ ମାଲିକ ମହେଶ୍ବର ବେହେରା (୭୨) ତଞ୍ଚକତା କରି ପିଲାଙ୍କୁ ଲୁଚାଇ ଦେଉଥିଲା। ମାତ୍ର ସମ୍ପୃକ୍ତ ଅଧିକାରୀମାନେ ୩ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ପିଲାମାନେ ହେଲେ ବାଗଡ଼ିଆ ଥାନା ଖମାର ଗ୍ରାମର ଓମକାର ମାହାର (୧୭ ), ବାବୁଲି ମାହାର (୧୨) ଓ ବାବୁ ମାହାର (୧୩) । ଏମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି।
ଛେଣ୍ଡିପଦା ଥାନା ଏଏସଆଇ ତ୍ରିଲୋଚନ ଜେନା, ଅନୁଗୁଳ ସହକାରୀ ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଚାଇଲ୍ଡ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ, ଆକ୍ସେସଟୁ ଜଷ୍ଟିସ କର୍ମକର୍ତ୍ତା ଗୋପବନ୍ଧୁ ସାହୁ ପ୍ରମୁଖ ଏହି ଚଢ଼ଉ କରିଥିଲେ ।