ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଏକ ବାଇକ୍ ପୋଡ଼ି ଘଟଣାରେ ଶୁକ୍ରବାର ୩ ଜଣ ଯୁବକଙ୍କୁ ଗିରଫ କରିଛି।
ସୂଚନା ଯେ, ଗତ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଅନୁଗୁଳ ହୁଲୁରୁସିଂହା ଗାନ୍ଧିମାର୍ଗରେ ରହୁଥିବା ଶୀବାଶିଷ ମିଶ୍ର(୪୫) ତାଙ୍କ ବାଇକ୍(ଓଆର୧୯ଏଫ-୬୪୪୦)କୁ ଘର ଅଗଣାରେ ରଖିଥିଲେ। ବାହାରେ ପାଟି ଶୁଣି ବାହରକୁ ଆସି ଦେଖିଲାବେଳକୁ ତାଙ୍କ ବାଇକ୍ଟି ନିଆଁ ଲାଗୁଛି। ଏହା ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଏହାପରେ ସେ ତାଙ୍କ ସିସିଟିଭି ଦେଖି ଜାଣିବାକୁ ପାଇଲେ ଯେ, ୩ ଜଣ ଆସି ତାଙ୍କ ବାଇକ୍କୁ ପୋଡ଼ିଛନ୍ତି। ଏ ନେଇ ଶୀବାଶିଷ ଅନୁଗୁଳ ଟାଉନ୍ ଥାନାରେଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ସିସିଟିଭି ଫୁଟେଜ୍କୁ ଆଧାରକରି ଶୁକ୍ରବାର ହେମୁସୁରପଡ଼ାର କ୍ରୀଷ୍ଣା ଦାସ(୨୮), କୁରୁଡ଼ୋଲ ଗାଁର ସଞ୍ଜୟ ବେହେରା(୨୬) ଓ ହାକିମପଡ଼ାର ଦିବ୍ୟ ରଞ୍ଜନ ମହାରଣା(୩୧)ଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି ଯେ, ସେମାନେ ଶୀବାଶିଷଙ୍କଠାରୁ ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ପରିଶୋଧକୁ ନେଇ ବିବାଦ ଥିଲା। ତେଣୁ ସେମାନେ ଶିବାଶିଷଙ୍କ ବାଇକ୍ରେ ନିଆଁ ଲଗାଇ ଦେଇଥିଲେ। ୩ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ବାଇକ୍ ପୋଡ଼ିବା ଅଭିଯୋଗରେ ୩ ଯୁବକ ଗିରଫ
