ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ତ୍ରିଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଅନୁଗୁଳ ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ ଏହି ସମାରୋହକୁ ଉଦଘାଟନ କରିବା ସହ ଓଡ଼ିଶାର କଳା ସଂସ୍କୃତି ଓ ସାହିତ୍ୟ ର ବିଶ୍ୱରେ ଆଦର ରହିଛି ବୋଲି ପ୍ରକାଶ କରିଥିଲେ। କଳାକାର ସଂସ୍ଥା ପାଇଁ ଏକ ଜାଗା ଓ ଘର ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ଯୋଗ ଦେଇ କଳାକାରର କାର୍ଯ୍ୟକ୍ରମ ଉଚ୍ଚ କୋଟୀର ବୋଲି ପ୍ରକାଶ କରିଥିଲେ।”କଳାକାର ଆମେ କଳାକାର ଏ ମାଟିର ହସକାନ୍ଦ,ସୁଖ ଦୁଃଖ,ଭଲମନ୍ଦ ସବୁ ଆମପାଇଁ ସୁନ୍ଦର” ବୃନ୍ଦ ସଙ୍ଗୀତରେ ସଭାଘର ପ୍ରତିଧ୍ୱନିତ ହୋଇଥିଲା।
କଳାକାର ସଦସ୍ୟ ମାନେ ଏହି ସଂଗୀତ ପରିବେଷଣ କରିଥିଲେ। ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ଶରତ ମାଝୀ,ଚୈତନ୍ୟ ସାହୁ ଏବଂ ଯୋଗେଶ୍ୱର ଦାସ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଂସ୍ଥାର ସଭାପତି ବିରେନ୍ଦ୍ର ପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ପାଦକ ବିଭୂତି ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ସମାରୋହରେ ବିଚାରକ ଭାବେ ଯୋଗ ଦେଇଥିବା ଗୁରୁ ପିତାମ୍ବର ବିଶ୍ବାଳ ଏବଂ ସୌମ୍ୟରଞ୍ଜନ ମହାନ୍ତିଙ୍କୁ ଉପଦେଷ୍ଟା ଭୂପେଶ୍ ଚନ୍ଦ୍ର ପ୍ରଧାନ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ବୈରାଗୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।