ପୁଲୱାମା ଆକ୍ରମଣକୁ ୪ ବର୍ଷ, ସହିଦ ବୀର ଯବାନଙ୍କୁ ଆଜି ବି ଝୁରୁଛି ସାରା ଦେଶ

You are currently viewing ପୁଲୱାମା ଆକ୍ରମଣକୁ ୪ ବର୍ଷ, ସହିଦ ବୀର ଯବାନଙ୍କୁ ଆଜି ବି ଝୁରୁଛି ସାରା ଦେଶ

ଭୁବନେଶ୍ୱର: ଆଜି ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂରିଛି। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଏବେ ବି ଝୁରୁଛି ମାଟି। ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ସେମାନଙ୍କ ପରିବାର ଆଉ ମାତୃଭୂମି। ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଆଜିର ଦିନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।

୧୪ ଫେବୃଆରୀ ୨୦୧୯ । ପ୍ରତିବର୍ଷ ଭଳି ସେଦିନ ବି ଯୁବପିଢ଼ି ଭାଲେଣ୍ଟାଇନ ଡେ ପାଳନ କରୁଥିଲେ। କିନ୍ତୁ ଦିନ ଦ୍ୱିପ୍ରହରରେ ହଠାତ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ଖବର ଆସିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି।

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା। ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଞ୍ଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ଆତଙ୍କବାଦୀ। ଏହି ଆକ୍ରମଣରେ ଯାଇଥିଲା ୪୨ ଯବାନଙ୍କ ଜୀବନ।

ଆଜି ଏହି ଆକ୍ରମଣକୁ ୪ ବର୍ଷ ପୂରିଥିଲେ ବି ଆକ୍ରମଣର ସେ ଦୃଶ୍ୟ ଆଖି ସାମନାକୁ ଆସିଲେ ଶିହରୀ ଉଠେ ଦେହ। ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Share

Leave a Reply