ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ବିଜୁ ମଇଦାନଠାରେ ଗୁରୁବାର ଅପରାହ୍ନରେ ୭୦ତମ ରାଜ୍ୟ ସିନିୟର ଷ୍ଟେଟ କବାଡି ଚାମ୍ପିୟନସିପ୍ ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଖେଳାଳି ମାନଙ୍କୁ କହିଥିଲେ ଯେ, ନିଷ୍ଠାରସହ ଖେଲିଲେ ସଫଳତା ନିଶ୍ଚୟ ମିଳିବ। ଏଥିରେ ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗଦେଇ କବାଡ଼ି ଖେଳର ପ୍ରଚାର ପ୍ରସାର ଦିଗରେ ସବୁସ୍ତରରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ଓଡ଼ିଶା କବାଡ଼ି ଆସୋସିଏସନ୍ର ସମ୍ପାଦକ ଅଜୟକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନ୍ଟିପିସିର ଅଧିକାରୀ ରଫିକ୍ ଇସ୍ଲାମ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ଉଦଘାଟନ ପୂର୍ବରୁ ଅପରାହ୍ଣ ୩ଟା ସମୟରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ସାଂସ୍କୃତିକ ଦଳ ମାନଙ୍କୁ ନେଇ କବାଡି ଚାମ୍ପିୟନସିପ୍ର ଖେଳାଳି ଓ ପରିଚାକଙ୍କ ଏକ ରାଲି ବାହାରି ସେଣ୍ଟ୍ରାଲ ଲଜ ଛକ ଦେଇ, ବଜାର ଛକ, ରାଜା ଛକ, ଥାନା ଛକ ଦେଇ ବିଜୁ ମଇଦାନରେ ପହଞ୍ଚିଥିଲା। ଉଦ୍ଘାଟନୀ ଦିବସରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହୋଇଛି। ପୁରୁଷ ବିଭାଗରେ ୮ଟି ଗ୍ରୁପ୍ ରହିଥିଲାବେଳେ ମହିଳା ବିଭାଗରେ ୬ଟି ଗ୍ରୁପ୍ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶ୍ରେଷ୍ଠ ୨ ଦଳକୁ ନେଇ ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ସୂଚନା ଯେ, ଏଥିରେ ୯୧୦ ମହିଳା ଓ ପୁରୁଷ କବାଡି ଖେଳାଳି ସାମିଲ ହୋଇଛନ୍ତି। ସାରା ଓଡ଼ିଶାର ୨୯ଟି ଜିଲ୍ଲାରୁ ଖେଳାଳି ମାନେ ଆସି ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ। ଏହି ଦଳ ମାନଙ୍କରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ , ଜଣେ ମ୍ୟାନେଜର ଓ ଜଣେ କୋଚ ରହିଛନ୍ତି।
ସର୍ବମୋଟ ୨୯ଜିଲାର୫୯ଟି ଦଳ ଖେଳିବାକୁ ଥିବା ବେଳେ ଏଥିରେ ସମାନ ଭାବେ ୨୯ଟି ମହିଳା ଓ ପୁରୁଷ ଦଳ ରହିଛନ୍ତି। ଏତଦ୍ ବ୍ୟତିତ ରେଳବା ଦଳ, ଓଡ଼ିଶା ପୁଲିସ ଦଳ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦଳ, ଏନଆରଆରଆଇ, କିଟ ଭୁବନେଶ୍ୱର, ହାଇଟେକ ଭୁବନେଶ୍ୱର ଆଦି ଦଳ ସାମିଲ ହୋଇଛନ୍ତି। ଖେଳ ପରିଚାଳନା ଓ ଖେଳାଳି ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୫୦ଜଣ ଟେକନିକାଲ ଅଫିସରଙ୍କ ସହ ୫୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିଛନ୍ତି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠଙ୍କ ତତ୍ତ୍ବାବଧାନରେ ଚାଲିଥିବା ଏହି ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ଦିନ ସନ୍ଧ୍ୟା ୫ଟା ରେ ଉଦଯାପନ ହେବର କାର୍ଯ୍ୟକ୍ରମ ରହିଛି।