କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ଶନିବାର କଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟ ବକ୍ତା ଡକ୍ଟର ଧରଣୀଧର ନାଥ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତୀ ବେହେରା, ଜିଲ୍ଲାପାଳ ଅବଦ୍ଦାଲ ଏମ୍. ଅକ୍ତର, ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦେଶକ କେ. ନରସୀମା ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ନାଥ ରାଜା ଶାସନର ଅତ୍ୟାଚାର ବିଷୟରେ ଆଲୋଚନା କରିଥିଲେ।
କଣିହାଁ ପବିତ୍ର ମୋହନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉଡ଼ିଆ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ ଓ ସହୀଦମାନଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥିମାନେ ଉତ୍କଳମଣି ଗୋପବନ୍ଧୁ ଦାସ, ପବିତ୍ର ମୋହନ ପ୍ରଧାନ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଟ୍ରଷ୍ଟ୍ ପକ୍ଷରୁ ‘ଆମେ ସଂଗ୍ରାମୀ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ୩୦ ସହୀଦ ପରିବାର, ୨୨ ସ୍ୱାଧୀନତା ସଂଗ୍ରାମୀ ଓ ୧୮ ସହୀଦ ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।