କୁଷ୍ଠ ରୋଗଜନିତ ଦିବ୍ୟାଙ୍ଗତାଙ୍କ ପାଇଁ ଆଶାର କିରଣ: ସଫଳତାର ସହ ସମ୍ପନ୍ନ ହେଲା ଅସ୍ତ୍ରୋପଚାର ଶିବିର

You are currently viewing କୁଷ୍ଠ ରୋଗଜନିତ ଦିବ୍ୟାଙ୍ଗତାଙ୍କ ପାଇଁ ଆଶାର କିରଣ: ସଫଳତାର ସହ ସମ୍ପନ୍ନ ହେଲା ଅସ୍ତ୍ରୋପଚାର ଶିବିର

ଅନୁଗୁଳ: କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମୟରେ ଜୀବାଣୁ ପ୍ରଭାବରେ ରୋଗୀଙ୍କ ଶରୀରରେ ଦିବ୍ୟାଙ୍ଗତା ଦେଖାଦେଇଥାଏ। ଏହା ସେମାନଙ୍କ ବୃତ୍ତିଗତ ଓ ସାମାଜିକ ଜୀବନରେ ବଡ଼ ବାଧା ସୃଷ୍ଟି କରିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କୁଷ୍ଠ ନିରାକରଣ ବିଭାଗ ତରଫରୁ ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର ଶିବିର ଆୟୋଜନ କରାଯାଇଛି।

ଶିବିରରେ ତିନି ଜଣ ରୋଗୀଙ୍କର ଗୋଡ଼ ଓ ଝୁଲା ପାଦଜନିତ ଦିବ୍ୟାଙ୍ଗତାର ସଫଳ ଅସ୍ତ୍ରୋପଚାର (RCS) କରାଯାଇଛି। ରାଜ୍ୟ କୁଷ୍ଠ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ବିଶିଷ୍ଟ ସର୍ଜନ ଡଃ ଏଲ. କେ. କର୍ମୀ ଜିଲ୍ଲା ମୁଖ୍ୟାଳୟକୁ ଆସି ଏହି ଅସ୍ତ୍ରୋପଚାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହିପରି ୧୦ ଜଣ ରୋଗୀଙ୍କର ସଫଳତା ସହ ଅସ୍ତ୍ରୋପଚାର କରାଯାଇ ସେମାନଙ୍କୁ ସ୍ୱାଭାବିକ ଜୀବନକୁ ଫେରାଇ ଅଣାଯାଇଥିଲା।

ଏହି ଅସ୍ତ୍ରୋପଚାର ପାଇଁ ସରକାରଙ୍କ ତରଫରୁ ରୋଗୀଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କେବଳ ଅସ୍ତ୍ରୋପଚାର ନୁହେଁ, ବରଂ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ରୋଗୀଙ୍କ ସ୍ୱାସ୍ଥ୍ୟର ଉଚିତ ତଦାରଖ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଫିଜିଓଥେରାଫିଷ୍ଟ ସୁନୀଲ କୁମାର ମିଶ୍ର ରୋଗୀଙ୍କ ପ୍ରାଥମିକ ବ୍ୟାୟାମ ଓ ଆଡମିଶନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଦନମୋହନ ପ୍ରଧାନ ଏବଂ ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡା ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। କୁଷ୍ଠ ପରାମର୍ଶଦାତା ଡଃ ସୂର୍ଯ୍ୟ ନାରାୟଣ ଦତ୍ତ ଶିବିରର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Share

Leave a Reply