ଅନୁଗୁଳ: ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚାଲିଥିବା ‘ଖୁସି’ ଯୋଜନା ଅନୁଗୁଳରେ ଅପହଞ୍ଚ। ଏଣୁ ଏଠାକାର ମହିଳାଙ୍କ ପରିଚ୍ଛନ୍ନତାକୁ ପ୍ରାଥମିକତା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବନ୍ତଳା ଗାଁର ଯବାନ ହାସ୍ୟଜିତ୍ ସାହୁ।
ହାସ୍ୟଜିତ ଅପହଞ୍ଚ ବେତର ଗାଁକୁ ଯାଇ ମହିଳା ଓ କିଶୋରୀମାନଙ୍କୁ ମାସିକ ଧର୍ମ ନେଇ ସଚେତନ କରିବା ସହ ସାନିଟାରି ନାପକିନ୍ ବାଣ୍ଟୁଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣପ୍ରଭା।
ଆଗ୍ରାରେ କାର୍ଯ୍ୟରତ ହାସ୍ୟଜିତ ଦେଶସେବାରୁ କିଛି ବିରତି ମିଳିଲେ ସମାଜ ସେବା କରିଥାନ୍ତି। ଥରେ ଏକମାସ ଛୁଟିରେ ଗାଁକୁ ଆସିଥିବା ବେଳେ ତାଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭା ନାୟକଙ୍କୁ ସାଙ୍ଗରେ ନେଇ ବେତର ଗାଁରେ ପହଞ୍ଚିଥିଲେ। ଏହି ଗାଁ ପାହାଡ଼, ଜଙ୍ଗଲ ଘେରା ବାହ୍ୟ ଜଗତରୁ ଏକ ପ୍ରକାରର ବିଚ୍ଛିନ୍ନ। ଗାଁକୁ ରାସ୍ତା ନ ଥିବା ବେଳେ ଏଠାକାର ମହିଳା ଓ କିଶୋରୀ ନିଜ ସ୍ୱାସ୍ଥ୍ୟକୁ ନେଇ ଆଦୌ ଯତ୍ନବାନ ନୁହନ୍ତି। ଏହାକୁ ହୃଦୟଙ୍ଗମ କରି ଏହି ଦମ୍ପତି ଋତୁସ୍ରାବକାଳୀନ ସତର୍କତା ସଂପର୍କରେ ସେମାନଙ୍କୁ ସଚେତନ କରିଥିଲେ। ଋତୁସ୍ରାବ ସମୟରେ ସାନିଟାରି ନାପକିନ୍ ବ୍ୟବହାର କଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ବୁଝାଇଥିଲେ। ଏଥିସହ ସେମାନଙ୍କୁ ପ୍ୟାଡ ବି ବାଣ୍ଟୁଛନ୍ତି। ଫଳରେ ପ୍ରାପ୍ତବୟସ୍କ ଯୁବତୀ ଓ ମହିଳା ଉପକୃତ ହୋଇ ପାରୁଛନ୍ତି।
ଅନ୍ୟପଟେ ଏଭଳି କାର୍ଯ୍ୟ ପାଇଁ ଯବାନ ହାସ୍ୟଜିତ୍ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି। ତାଙ୍କର ଏହି ଛୋଟ ସାହାଯ୍ୟ ପାଇଁ ଅନେକ ମହିଳା ଉପକୃତ ହୋଇଥିବା କହିଛନ୍ତି।