ନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

You are currently viewing ନାଲକୋ ସିପିପିରେ ଭାଙ୍ଗିଲା ମେସିନ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ(ସିପିପି)ରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ସପିପିକୁ ୱାଗନେରେ ଆସୁଥିବା କୋଇଲାକୁ ଏକାଠି କରିବା ପାଇଁ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଏକ ଅତ୍ୟାଧୁନିକ ଷ୍ଟାକର ମେସିନ କାମ କରିଥାଏ। ଏହାକୁ ଅପରେଟର ଚଳାଇ ଥାନ୍ତି। ଶୁକ୍ରବାର ଏହି ଷ୍ଟାକର ମେସିନର କ୍ୟାବିନରେ ଅପରେଟର ବିମ୍ବାଧର ଦାସ ଓ ଠିକା ଶ୍ରମିକ ଛବି ମୋହନ ଭୋଳ କୋଇଲା ଏକାଠି କରୁଥିବା ବେଳେ ହଠାତ୍ ମେସିନଟି ଭାଙ୍ଗିଯାଇଥିଲା। ଫଳରେ ନାଲକୋ କର୍ମଚାରୀ ବିମ୍ବାଧର ଓ ଠିକା ଶ୍ରମିକ ଛବି ଗୁରୁତରଭାବେ ଆହତ ହୋଇଥିଲେ। ସେମାନଙ୍କୁ ତରୁନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବିମ୍ବାଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବତିମ୍ବାଧରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ବୋଲି ଜଣାଯାଇଛି। ଷ୍ଟାକର ମେସିନ ପୁରୁଣା ହେଲାଣି। ଏହାକୁ ଠିକ ସମୟରେ ମରାମତି କରାଯାଉନାହିଁ। ଫଳରେ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି। ଏ ନେଇ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡାଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ସେ ମୋବାଇଲ ଫୋନ୍ ଉଠାଇନଥିଲେ। ଶୁକ୍ରବାର ନାଲକୋ ୪୨ ବର୍ଷରେ ପହଞ୍ଚି ତାର ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ଖରାପ ଯନ୍ତ୍ରପାତିରେ ଶ୍ରମିକ ଓ କର୍ମଚାରୀ ଲହୁ ଲୁହାଣ ହେବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Share

Leave a Reply