ଦେଢ଼ ବର୍ଷ ପରେ ମିଳିଲା ନ୍ୟାୟ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

You are currently viewing ଦେଢ଼ ବର୍ଷ ପରେ ମିଳିଲା ନ୍ୟାୟ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୨ ଅକ୍ଟୋବର ୧୦ରେ ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଗ୍ରାମର ଭୀମେଶ୍ୱର ସାହୁଙ୍କ ପୁଅ ବାଲା ସାହୁ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ସେ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରିବା ସହ ହଇରାଣ ହରକତ କରୁଥିଲେ। ଘଟଣା ଦିନ ନାବାଳିକା ଟିଉସନ ଯିବା ସମୟରେ ବାଲା ସାହୁ ତାଙ୍କ ମୁହଁରେ କପଡା ବାନ୍ଧି ତାକୁ ଜବରଦସ୍ତି ଉଠାଇନେଇ ତା’ ସହିତ ଦୁଷ୍କର୍ମ କରିଥିଲା ଏବଂ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଫଳରେ ନାବାଳିକା ଡରିକି ଏବିଷୟରେ କାହାକୁ କିଛି କହିନଥିଲା।

କିନ୍ତୁ ଘଟଣା ଘଟିବାର ଏକ ମାସ ପରେ ପୁଣି ବାଲା ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ନାବାଳିକା ସେଠାରୁ ଖସି ପଳାଇଆସିଥିଲା। ବାରମ୍ବାର ସେ ଅତ୍ୟାଚାର ସହିନପାରି ଗତ ୮. ୧୦. ୨୦୨୨ଦିନ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ଅନ୍ୟପଟେ ତା’ ପର ଦିନ ବାଲା ତାଙ୍କ ଘରକୁ ଆସି ନାବାଳିକାକୁ ବାହା ହେବା ପାଇଁ ଜିଦ ଧରିଥିଲା। ଏଥିପାଇଁ ନାବାଳିକାର ପରିବାର ଲୋକେ ବିରୋଧ କରିବାରୁ ବାଲା ସେମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା ବୋଲି ସମ୍ପୃକ୍ତ ନାବାଳିକା ଜରପଡ଼ା ଥାନାରେ ଲିଖିତ ଏତଲା ଦେଇଥିଲା।

ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ବାଲା ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ବୁଧବାର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ଫାଷ୍ଟ ଟ୍ରାକ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୭ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ନାବାଳିକାକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୂତିଆ କେସ୍ ପରିଚାଳନା କରିଥିଲେ।

Share

Leave a Reply