ମାଙ୍କଡ଼ା ନଦୀବନ୍ଧ ବିରୋଧରେ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଶୋଭାଯାତ୍ରା

You are currently viewing ମାଙ୍କଡ଼ା ନଦୀବନ୍ଧ ବିରୋଧରେ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଶୋଭାଯାତ୍ରା

ପାଳଲହଡ଼ା: ପ୍ରସ୍ତାବିତ ମାଙ୍କଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମୀ ସଂଗଠନ ପକ୍ଷରୁ ବୁଧବାର ୨୦ଟି ଗ୍ରାମର ୫ ହଜାରରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ଉଦିତନଗରଠାରୁ ଶୋଭାଯାତ୍ରା ବାହାର କରି ପାଳଲହଡ଼ା ବଜାର ପରିକ୍ରମା କରିଥିଲେ। ପ୍ରକଳ୍ପ ବନ୍ଦ ନାରା ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଜଳସେଚନ ବିଭାଗର ପତ୍ର ଅନୁଯାୟୀ, ପ୍ରକଳ୍ପ ଦ୍ୱାରା ଅନୁଗୁଳର ପେଚାମୁଣ୍ଡି, ସଇଡା, ଶିଗଡ ଓ ବନ୍ଧାଭୂଇଁ ପଞ୍ଚାୟତ ସହ କେନ୍ଦୁଝରର ବିଞ୍ଝବାହାଲ ପଞ୍ଚାୟତର ପ୍ରାୟ ୨୦ଟି ଗ୍ରାମ ଆଂଶିକ ବା ସମ୍ପୂର୍ଣ୍ଣ ଜଳମଗ୍ନ ହେବ। ଚାଷନିର୍ଭର ଅଧିବାସୀଙ୍କ ଭିଟାମାଟି ଓ ଜୀବିକା ବିପଦରେ ପଡ଼ିବ। ୧୯୭୩ରେ ରେଙ୍ଗାଳି ବନ୍ଧ ଦ୍ୱାରା ବିସ୍ଥାପିତ ୩୦୦ ପରିବାର ଏଠାରେ ରହୁଥିବା ବେଳେ ୫୦ ବର୍ଷ ପରେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳିନାହିଁ।

ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମବାସୀଙ୍କ ଅଧିକାର ଉଲ୍ଲଙ୍ଘନ ହେବ ବୋଲି ସଂଗଠନ ସଭାପତି ରତ୍ନାକର ରାଉତ, ସମ୍ପାଦକ ଅକ୍ଷୟ ସାହୁ ଓ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଡା. ସନ୍ତୋଷ ଦେହୁରୀ କହିଛନ୍ତି। ଭିଟାମାଟି ଛାଡ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାୟକ ଆନ୍ଦୋଳନକୁ ସମର୍ଥନ ଦେଇ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ଦାବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯିବ ବୋଲି କହିଛନ୍ତି।

Share

Leave a Reply