ସ୍ମାର୍ଟ ମିଟର ନାଁରେ କର୍ମଚାରୀ ଛଟେଇ ଚକ୍ରାନ୍ତ ଅଭିଯୋଗ: ବିଦ୍ୟୁତ୍ କର୍ମଚାରୀ ସଂଘର ବୈଠକ

You are currently viewing ସ୍ମାର୍ଟ ମିଟର ନାଁରେ କର୍ମଚାରୀ ଛଟେଇ ଚକ୍ରାନ୍ତ ଅଭିଯୋଗ: ବିଦ୍ୟୁତ୍ କର୍ମଚାରୀ ସଂଘର ବୈଠକ

ଅନୁଗୁଳ: ସ୍ମାର୍ଟ ମିଟର ଲଗାଇ ଖର୍ଚ୍ଚ ହ୍ରାସ ଆଳରେ ବିଦ୍ୟୁତ୍ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ମିଟର ରିଡର, ବିଲ୍ କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଛଟେଇ କରିବାର ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି।

ଜରପଡା ନିକଟସ୍ଥ ଜେରେଙ୍ଗ ମନ୍ଦିର ଠାରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦୀପକ କୁମାର ସିଂହ ପରିଚାଳନା କରିଥିଲେ। ଏ.ଆଇ.ୟୁ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ତଥା ସଂଘ ସଭାପତି ଜୟସେନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୧୫ ବର୍ଷ ଧରି ବିଦ୍ୟୁତ୍ ବିଭାଗରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କୁ ଉନ୍ନତ ଜ୍ଞାନକୌଶଳ ନାଁରେ ଛଟେଇ କରିବାକୁ ଚକ୍ରାନ୍ତ ଚାଲିଛି। ଏହାକୁ ସଂଘ ତୀବ୍ର ବିରୋଧ କରିବା ସହ ଟିପିସିଓଡିଏଲ ଏବଂ ସରକାରୀ କର୍ତ୍ତୃପକ୍ଷ ଏହି କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦେବାକୁ ଦାବି କରିଛି। ସଂଘ ସଭାପତି ଜୟସେନ ମେହେର ଚେତାବନୀ ଦେଇ କହିଛନ୍ତି, “ଯଦି ଶ୍ରମିକ-କର୍ମଚାରୀ ବିରୋଧୀ ପଦକ୍ଷେପ ଗ୍ରହଣ କରାଯାଏ, ତେବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସମେତ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଏହାର ଦୃଢ଼ ବିରୋଧ କରାଯିବ।” ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳଙ୍କ ସମେତ ନବକିଶୋର ପ୍ରଧାନ, ଦିଲ୍ଲୀପ ସାସମଲ, ସୁକାନ୍ତ ସାହୁ, ପ୍ରଫୁଲ୍ଲ ସାହୁ, ମୋହନ ସାହୁ, ପ୍ରସନ୍ନ ସେନାପତି, ସତ୍ୟସୁନ୍ଦର ସାହୁ, ବିକାଶ ଗଡନାୟକ, ସୁନିଲ ମହାପାତ୍ର, ସାଫଲ୍ୟ ତ୍ରିପାଠୀ, ପ୍ରକାଶ ବେହେରା, ବୈକୁଣ୍ଠ ସାହୁଙ୍କ ସହ ଶତାଧିକ ଶ୍ରମିକ-କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply