ବଡ଼ ମେଡିକାଲରେ ପ୍ରସୂତି କଲବଲ! ଦିନ ଗୋଟେରେ ଡେଲିଭରି ସମୟ ଦେଇ ରାତି ଯାଏଁ ଡାକ୍ତର ଗାଏବ

You are currently viewing ବଡ଼ ମେଡିକାଲରେ ପ୍ରସୂତି କଲବଲ! ଦିନ ଗୋଟେରେ ଡେଲିଭରି ସମୟ ଦେଇ ରାତି ଯାଏଁ ଡାକ୍ତର ଗାଏବ

ଅନୁଗୁଳ: ଅନୁଗୁଳ ବଡ଼ ମେଡିକାଲ ଆସି ପୁଣି କଲବଲ ହେଲେ ରୋଗୀ। ଏଥରକ ଜଣେ ପ୍ରସୂତି ଡାକ୍ତରଙ୍କ ଅବହେଳା ଯୋଗୁଁ ହଇରାଣ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏଥିପାଇଁ ମେଡିକାଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅନ୍ୟପଟେ ଡାକ୍ତରଙ୍କ ଅବହେଳା ପରେ ପ୍ରସୂତିଙ୍କୁ ପରିବାର ଲୋକ ଘରୋଇ ଡାକ୍ତରଖାନା ନେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅନୁଗୁଳ ଛେଳିଆପଡା ଗାଁର ସାଗର ପ୍ରଧାନ ତାଙ୍କ ସ୍ତ୍ରୀ ସତ୍ୟବ୍ରତୀ ପ୍ରଧାନଙ୍କୁ ଆଜି ସକାଳୁ ପ୍ରସବ ନିମନ୍ତେ ଅନୁଗୁଳ ଡାକ୍ତରଖାନାର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ଦିନ ଗୋଟାଏରେ ଅସ୍ତ୍ରୋପଚାର ହେବ। ଏଣୁ ପ୍ରସ୍ତୁତ ରହିବାକୁ କହିଥିଲେ। କିନ୍ତୁ ଗୋଟେ ବେଳେ ଡାକ୍ତରଙ୍କ ଦେଖା ମିଳିନଥିଲା।

ତା’ପରେ ଆଉ ଜଣେ ଡାକ୍ତର ଆସି ୩ ଟାରେ ଅପରେସନ ହେବ କହିଥିଲେ। କିନ୍ତୁ ଠିକ ବେଳକୁ ସେ ବି ଗାୟବ। ତା’ ପରେ ଆଉ ଜଣେ ଡାକ୍ତର ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅଲଟ୍ରାସାଉଣ୍ଡ ପାଇଁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ସ୍ବାମୀ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ତାଙ୍କ ସ୍ତ୍ରୀ ସକାଳୁ ପାଣି ଟୋପେ ମଧ୍ୟ ପିଇ ନାହାଁନ୍ତି। ଏବେ ପ୍ରସବ ବେଦନାରେ ଛଟପଟ ହେଉଛନ୍ତି। କିନ୍ତୁ ମେଡିକାଲରେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ପହଞ୍ଚିଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

କିନ୍ତୁ ମହିଳାଙ୍କୁ ତାଙ୍କ ପରିବାର ଲୋକ ଘରୋଇ ମେଡିକାଲକୁ ବାଧ୍ୟ ହୋଇ ନେଇ ଯାଇଥିଲେ। ତେବେ ଆଜି ପ୍ରଥମ ନୁହେଁ, ଆଗରୁ ଅନେକ ଥର ହସ୍ପିଟାଲ ଆସି ରୋଗୀ ହଇରାଣ ହୋଇଥିବା ନଜିର ରହିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Share

Leave a Reply