ଅନୁଗୁଳ: ଅନୁଗୁଳ ଉପଖଣ୍ଡସ୍ତରୀୟ ଅର୍ଦ୍ଧ ସମ୍ପ୍ରସାରଣ କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହୋଇଛି।
କୃଷି ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର ଯୋଗଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ଶିବିରରେ କୃଷି ବିଭାଗ ତଥା ଜଳ ବିଭାଜିକା ବିଭାଗର ବିଭିନ୍ନ ସରକାରୀ ଯୋଜନା, ବଜାରରେ ମିଳୁଥିବା ରାସାୟନିକ ସାର ଗୁଡିକର ମାନ ନିର୍ଦ୍ଧାରଣ ତଥା ନିମ୍ନମାନର ସାର ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରାକୃତିକ ତଥା ଜୈବିକ କୃଷିର ବିଭିନ୍ନ ଦିଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଦେବାଶିଷ ମିଶ୍ର, ଅନୁଗୁଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ତୀର୍ଯ୍ୟକ୍ ସାମନ୍ତ ତାଲିମ ଦେଇଥିଲେ।

ଶିବିରରେ ଅନୁଗୁଳ କୃଷି ଜିଲ୍ଲା ଅନ୍ତର୍ଗତ ବଅଁରପାଳ ଓ ଛେଣ୍ଡିପଦା ବ୍ଲକର ସମସ୍ତ କୃଷି ଅଧୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷକ ସାଥୀ ଉପସ୍ଥିତ ଥିଲେ। ଶେଷରେ ସହକାରୀ କୃଷି ଅଧିକାରୀ ଲୋପାମୁଦ୍ରା ସାହୁ ଧନ୍ୟବାଦ ଦେଇଥିଲେ।